ଓଡ଼ିଶାଲାଇଭ୍ ବ୍ୟୁରୋ

କଙ୍ଗାରୁ ଦଳଠାରୁ ଆଡିଲେଡରେ ଲଜ୍ଜାଜନକ ପରାଜୟ ଭୋଗିସାରିଛି ଟିମ୍ ଇଣ୍ଡିଆ। ଏହାପରେ ଏବେ ଭାରତୀୟ ଖେଳାଳିଙ୍କ ଫର୍ମକୁ ନେଇ ଚିନ୍ତା ବଢ଼ିଛି। ତେବେ ଆଗାମୀ ବକ୍ସିଂ ଡେ’ ଟେଷ୍ଟରେ ଦଳ ଗୋଟିଏ କି ଦୁଇଟି ନୁହେଁ ବରଂ ୪ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି।

ନିୟମିତ ଅଧିନାୟକ ବିରାଟ କୋହଲି ନିଜର ପ୍ରଥମ ସନ୍ତାନର ଜନ୍ମ ହେତୁ ଭାରତ ଫେରିଆସିବେ। ତାଙ୍କ ସ୍ଥାନରେ କେ ଏଲ୍ ରାହୁଲ ଖେଳିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଛି। ସେହିପରି ଆହତ ହୋଇ ସିରିଜରୁ ବାଦ୍ ପଡ଼ିଥିବା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ରିପୋର୍ଟ ପ୍ରକାଶ ପାଉଛି।ଏହାବାଦ ପ୍ରଥମ ଟେଷ୍ଟରେ ବିଫଳ ହୋଇଥିବା ଓପନର ପୃଥ୍ୱୀ ସ’ ଏବଂ ୱିକେଟ କିପର ରିଦ୍ଧିମାନ ସାହାଙ୍କୁ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନପାରେ। ଏହି ଦୁଇ ଖେଳାଳିଙ୍କ ବଦଳରେ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥଙ୍କ ଖେଳାଯାଇପାରେ ବୋଲି ସୂଚନା ମିଳିଛି। ତେବେ ଏନେଇ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ।

ତା’ସହ ହନୁମା ବିହାରୀଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଟିମ୍ ଇଣ୍ଡିଆ ଜଣେ ବ୍ୟାଟ୍ସମ୍ୟାନଙ୍କ ସହ ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି। ଏହି ମ୍ୟାଚରେ ଉପ ଅଧିନାୟକ ରାହାଣେ ଟିମ୍ ଇଣ୍ଡିଆର ନେତୃତ୍ୱ ଭାର ଗ୍ରହଣ କରିବେ।

Comment