ଓଡ଼ିଶାଲାଇଭ୍ ବ୍ୟୁରୋ

ସସପେଣ୍ଡ୍ ହେଲେ ନରସିଂହପୁର ଥାନା ଏଏସ୍‌ଆଇ।

କଟକରେ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାକୁ ଥାନା ଭିତରେ ପୋଲିସର ନିର୍ଯ୍ୟାତନା ଘଟଣାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହେଲାଣି। ଚାଇଲ୍ଡ ଲାଇନ୍ ଏବଂ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ହସ୍ତକ୍ଷେପ ପରେ ଶନିବାର ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସିପୁ ଅମାନ୍ତଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଶରଧାପୁର ସରପଞ୍ଚଙ୍କ ସ୍ୱାମୀ ସୁଶାନ୍ତ କୁମାର ସାହୁ, ବିଜୟାନନ୍ଦ ଅମାନ୍ତ, ପ୍ରଶାନ୍ତ ଆରୁକ, ଟୁକୁ ଅମାନ୍ତ ରହିଛନ୍ତି। ସେହିପରି ନରସିଂହପୁର ଥାନାର ଏଏସ୍‌ଆଇ ରବୀନ୍ଦ୍ର କୁମାର ନାୟକଙ୍କୁ ସସ୍‌ପେଣ୍ଡ୍ କରାଯାଇଥିବା ଗ୍ରାମାଞ୍ଚଳ ଏସ୍‌ପି ଯୁଗୋଳ କିଶୋର ବିନୋଥ୍ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ନରସିଂହପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ସହିତ ତା ପ୍ରେମିକ ଜୋର୍ ଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ସହିତ ଏହି ସମୟର ଦୃଶ୍ୟକୁ ମୋବାଇଲରେ କଏଦ କରିଥିଲା। ଏହାପରେ ଏହି ଦୃଶ୍ୟକୁ ଦେଖାଇ ନାବାଳିକାକୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ବାହା ହେବାର ପ୍ରଲୋଭନ ଦେଖାଇ ପ୍ରେମିକ ଜଣଙ୍କ ତାକୁ ଘରୁ ନେଇଯାଇଥିଲା। ମାତ୍ର ନିଜର ଜଣେ ସମ୍ପର୍କୀୟଙ୍କ ଘରେ ନାବାଳିକାକୁ ରଖି ଗର୍ଭ ନଷ୍ଟ ବଟିକା ଦେଇ ତା’ଗର୍ଭକୁ ନଷ୍ଟ କରିଥିଲା। ଘଟଣା ସମ୍ପର୍କରେ ଥାନାରେ ଏତଲା ଦାଏର ହେବା ପରେ ସମ୍ପୃକ୍ତ ନାବାଳିକାକୁ ପ୍ରେମିକର ମାମୁ ଘରୁ ଉଦ୍ଧାର କରିଥିଲା ନରସିଂହପୁର ପୋଲିସ। ମାତ୍ର ଉଦ୍ଧାର ପରେ ଥାନାରେ ନାବାଳିକାକୁ ୩ ରାତି ରଖାଯାଇଥିଲା।

ଏହି ସମୟରେ ଥାନାରେ ବିନା ମହିଳା ପୋଲିସରେ ନାବାଳିକାଙ୍କ ଗର୍ଭ ପରୀକ୍ଷା କରିବା ସହିତ ଅଭିଯୁକ୍ତର ପରିବାର ଲୋକଙ୍କ ସହିତ ଭେଟ କରାଇଥିଲେ। ମାମଲାର ଆପୋଷ ବୁଝାମଣା କରିବା ପାଇଁ ପୀଡିତା ଉପରେ ପୋଲିସ ଚାପ ପକାଇଥିଲା। କଟକ ଚାଇଲ୍ଡଲାଇନ ପକ୍ଷରୁ ଘଟଣା ସମ୍ପର୍କରେ ନରସିଂହପୁର ଥାନାରେ ଏତଲା ପହଞ୍ଚିଯିବା ସହିତ ଗ୍ରାମାଞ୍ଚଳ ଏସପି ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।ଏହାପରେ ଜଣେ ଡିଏସପି ଆସି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ବଳାତ୍କାରର ଶିକାର ହୋଇଥିବା ଜଣେ ପୀଡିତାଙ୍କୁ ଥାନାରେ ୩ ରାତି ଅଟକ ରଖିବା, ଥାନା ଭିତରେ ପୁରୁଷ ପୋଲିସ ନାବାଳିକାର ଗର୍ଭ ପରୀକ୍ଷା କରିବା, ଅଭିଯୁକ୍ତର ପରିବାର ଲୋକଙ୍କ ସହିତ ପୀଡ଼ିତାର ଭେଟଘାଟ କରାଇବା ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଗତକାଲି ଏସପି ଯୁଗଳ କିଶୋର କୁମାର ବନୋଥ ସାମାଜିକ ଅନୁଷ୍ଠାନ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରକୁ ଯାଇଁ ପୀଡିତାଙ୍କୁ ଭେଟିଥିଲେ। ଏସପିଙ୍କ ଆଗରେ ନାବାଳିକା ଜଣଙ୍କ ତାଙ୍କ ସହିତ ଘଟିଥିବା ସମସ୍ତ ଘଟଣାବଳୀକୁ ବର୍ଣ୍ଣନା କରିବା ସହିତ ଥାନା ଭିତରେ ପୋଲିସ ତାଙ୍କ ସହିତ ଘଟିଯାଇଥିବା ନିର୍ଯ୍ୟାତନାକୁ ମଧ୍ୟ ପ୍ରାଞ୍ଜଳଭାବେ କହିଥିଲେ।

ପୀଡିତାଙ୍କଠାରୁ ସମସ୍ତ କଥା ଶୁଣି ସାରିବା ପରେ ତାଙ୍କୁ ନ୍ୟାୟ ଦିଆଯିବ ବୋଲି ଏସପି ବନୋଥ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଶନିବାର ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସିପୁ ସମେତ ୫ଜଣଙ୍କୁ ଆଠଗଡ଼ ଡିଏସ୍‌ପିଙ୍କ କାର୍ଯ୍ୟାଳୟରେ ରଖି ପଚରାଉଚରା କରାଯାଇଥିଲା।

Comment