ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ଥିବା ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ର କାର୍ଯ୍ୟ ଢାଞ୍ଚାରେ ବ୍ୟାପକ ଉନ୍ନତି ଓ ପରିବର୍ତ୍ତନ ହୋଇଛି। ଏ କଥା କହିଛନ୍ତି ଓପିଏସସିର ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ। ଭିତ୍ତିଭୂମି, ମାନବ ସମ୍ବଳ ଓ ଟେକ୍ନୋଲୋଜି ଏସବୁରେ ଢ଼େର ପରିବର୍ତ୍ତନ ହୋଇଥିବା କଥା ସେ କହିଛନ୍ତି। ବିଗତ କେଇ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଯେଉଁ ସବୁ ଆଧୁନିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ତାହା ଏବେ ଦୃଷ୍ଟିରେ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି।

ଓପିଏସସି ୧୯୪୯ ଏପ୍ରିଲ ପହିଲାରୁ କଟକ ପୁରୁଣା ସେକ୍ରେଟରିଏଟରେ ତାର କାମ ଆରମ୍ଭ କରିଥିଲା। ସ୍ଥାନ ଅଭାବ ଯୋଗୁଁ ଆଗ ପଛ ହୋଇ ସଂସ୍ଥା କାର୍ଯ୍ୟ ସମ୍ପାଦନ କରି ଆସୁଥିଲା। ୧୯୮୪ରେ ନୂଆ କୋଠା ଘରେ କମିସନର କାର୍ଯ୍ୟ  ଆରମ୍ଭ ହୋଇଥିଲା।

ନୂତନ ଭାବେ ପ୍ରାର୍ଥୀଙ୍କ ପାଇଁ ବସିବା ସ୍ଥାନ, ସାକ୍ଷାତକାର ଗୃହ, ମୂଲ୍ୟାୟନ ଗୃହ ଏସବୁକୁ ଦେଖି ପୁରୁଣା ବ୍ୟବସ୍ଥା ବଦଳରେ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ଏବେ ଓପିଏସସି କାର୍ଯ୍ୟାଳୟ ଯେ କୌଣସି ସ୍ମାର୍ଟ ଅଫିସ ଭଳି ପ୍ରତୀୟମାନ ହେଉଛି ବୋଲି ସେ କହିଛନ୍ତି।

ମାନବ ସମ୍ବଳ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ୩୦ ଜଣ ଜୁନିଅର ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ସେକ୍ସନ ଅଫିସର, ଏସଟାବଲିସମେଣ୍ଟ ଅଫିସର ଓ ଅଣ୍ଡର ସେକ୍ରେଟାରୀ ପଦବୀ ମଧ୍ୟ ବୃଦ୍ଧି ପାଇଛି।

ପରୀକ୍ଷା ପଦ୍ଧତି ସମ୍ପର୍କରେ ସେ କହିଛନ୍ତି ଯେ କ୍ରମଶଃ ଅନଲାଇନ ପରୀକ୍ଷା ଆଡକୁ କମିସନ ଅଗ୍ରଗତି କରିଛି। ନିକଟରେ କିଛି ପଦବୀ ପୂରଣ ପାଇଁ ପରୀକ୍ଷାମୂଳକ ଭାବେ ଅନଲାଇନ ଟେଷ୍ଟ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ।

୧୯୯୭ ଓ ୨୦୧୩ରେ ଦୁଇଟି ପର୍ଯ୍ୟାୟରେ କମ୍ପ୍ୟୁଟରିକରଣ ଆରମ୍ଭ ହେବା ସହ ଏବେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ହେଉଛି ବୋଲି ସେ କହିଛନ୍ତି। ସେହିଭଳି ସରକାରଙ୍କ ପକ୍ଷରୁ ଆସୁଥିବା ଅନୁରୋଧ,ଦରଖାସ୍ତ , ଆଡମିଟ କାର୍ଡ, ସେଣ୍ଟର ଆଲଟମେଣ୍ଟ ସବୁକିଛି ଏବେ କମ୍ପ୍ୟୁଟରରେ ହେଉଛି ବୋଲି ସେ କହିଛନ୍ତି।

Comment