ଓଡ଼ିଶାଲାଇଭ ବ୍ୟୁରୋ

  • କୃଷି ଆଇନ ବିରୋଧରେ କଂଗ୍ରେସର ଶୋଭାଯାତ୍ରା
  • ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଅଛନ୍ତି ଚାଷୀ। ଏହି ସମୟରେ ଏକ ପ୍ରତିନିଧି ଦଳଙ୍କୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ରାଷ୍ଟ୍ରପତିଙ୍କୁ ଭେଟି ଚାଷୀଙ୍କ ଦାବି ସମ୍ପର୍କରେ ଅବଗତ କରାଇବା ସହିତ କୃଷି ଆଇନ ପ୍ରତ୍ୟାହାର ସମର୍ଥନରେ ୨ କୋଟି ଲୋକଙ୍କ ଦସ୍ତଖତ ଥିବା ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ଦେଇଛନ୍ତି କଂଗ୍ରେସର ଏହି ପ୍ରତିନିଧି ଦଳ। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

‘‘ଆମେ ରାଷ୍ଟ୍ରପତିଙ୍କ ନିକଟକୁ କୋଟି କୋଟି ଲୋକଙ୍କ ଦସ୍ତଖତ ନେଇଥିଲୁ। ଏହା ହେଉଛି ଦେଶର ସ୍ୱର। କୌଣସି ଶକ୍ତି କୃଷକଙ୍କ କଣ୍ଠରୋଧ କରିପାରିବ ନାହିଁ। ସରକାର ତୁରନ୍ତ ସ୍ୱତନ୍ତ୍ର ଅଧିବେଶନ ଡକାଇ ଆଇନ ପ୍ରତ୍ୟାହାର କରିନିଅନ୍ତୁ। ଯଦି କୃଷି ଆଇନ ପ୍ରତ୍ୟାହାର ନହୁଏ ତେବେ ପୂରା ଦେଶ କ୍ଷତି ସହିବ’’, କହିଛନ୍ତି ରାହୁଲ।

ଯେଉଁ ଯାଏଁ ଚାଷୀ ତାଙ୍କ ଅଧିକାର ନପାଇଛନ୍ତି ସେଯାଏଁ ଆନ୍ଦୋଳନ ହଟିବନି ସେ କହିଛନ୍ତି। ଅନ୍ୟପଟେ ଆଜି ପୁଣି ଥରେ ଆନ୍ଦୋଳନରେ ବସିଥିବା ଚାଷୀମାନେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାପଡ଼ିଛି। ଏଥିରେ ଚାଷୀମାନେ ନିଜର ଆଭମୁଖ୍ୟ ସ୍ପଷ୍ଟ କରିବେ। ସରକାରଙ୍କ ସହିତ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବେ ଚାଷୀ।

Comment