କୋଭିଡ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ‘କୋଭିଡ ସଚେତନତା ରଥ’। ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଞ୍ଜାମ, ଖୋର୍ଦ୍ଧାରେ କୋଭିଡ ରଥ ବୁଲିବ। ଡିସେମ୍ବର ୨୪ରୁ ଏହି ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଚାଲିବ। ସମ୍ପୃକ୍ତ ଜିଲ୍ଲାର କଳାକାରମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ମହାମାରୀରୁ ରକ୍ଷା ପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକଙ୍କୁ ସଚେତନ କରିବେ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଓ ୟୁନିସେଫ୍‌ ଓଡ଼ିଶା ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲା ପାଇଁ ୭ଟି ରଥକୁ ସଂସ୍କୃତି ଭବନଠାରୁ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ।

‘‘ଶୀତୠତୁକୁ ଦୃଷ୍ଟିରେ ରଖି ଏହି ସଚେତନ କାର୍ଯ୍ୟକ୍ରମ କରିବାର ଆବଶ୍ୟକତା ରହିଛି। କୋଭିଡ ବିରୋଧରେ ପ୍ରତ୍ୟେକ କାର୍ଯ୍ୟ ମୂଳରେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ରହିଛି। ତାଙ୍କ ଦ୍ୱାରା ନିୟମିତ ସମୀକ୍ଷା ଓ ବଳିଷ୍ଠ ପଦକ୍ଷେପ ଯୋଗୁ ଓଡ଼ିଶା କୋଭିଡ ପରିଚାଳନା କ୍ଷେତ୍ରରେ ଆଗରେ ରହିଛି। ଲୋକଙ୍କ ପାଖରେ ଏକ ନୂଆ ଉପାୟରେ କୋଭିଡ ସଚେତନତା ବାର୍ତ୍ତା ପହଞ୍ଚାଇବାର ଚିନ୍ତାଧାରା ନିଶ୍ଚୟ ମଙ୍ଗଳମୟ ସାବ୍ୟସ୍ତ୍ୟ ହେବ’’, କହିଛନ୍ତି ରଘୁନନ୍ଦନ ଦାସ।

ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ପରାମର୍ଶଦାତା ଜନ୍ମେଜୟ ଲେଙ୍କା କହିଥିଲେ, ‘‘ଗାଁ ଗହଳିରେ କୋଭିଡ ସଚେତନତା ସୃଷ୍ଟି ପାଇଁ ପାରମ୍ପରିକ କଳାକାର ଆଗେଇ ଆସିଛନ୍ତି। ଜନ କଲ୍ୟାଣ ପାଇଁ ଆଗେଇ ଆସିଛନ୍ତି ପ୍ରଶଂସନୀୟ’’।

‘‘ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲ୍ଲାରେ ଏହି ରଥ ବୁଲିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାରେ ଏହି ଅଭିଯାନ ଚାଲିବ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ, ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ୟୁନିସେଫ୍‌ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ, ଶାଖା ମୁଖ୍ୟ ଡାକ୍ତର ସୋମେନ ରାୟ, ୟୁନିସେଫ୍‌ ସଂସ୍କୃତି ପ୍ରଯୋଜକ ବାସୁଦେବ ମାଲ ବିଶୋଇ, ସଂସ୍କୃତି ଉପନିର୍ଦ୍ଦେଶକ ଦେବାନନ୍ଦ ବିରହା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Comment