ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ଵିତୀୟ ଟେଷ୍ଟରେ ମଜଭୁତ ସ୍ଥିତିରେ ଟିମ୍ ଇଣ୍ଡିଆ। ରବିବାର ବକ୍ସିଂ ଡେ’ ଟେଷ୍ଟରେ ରାହାଣେଙ୍କ ଶତକ ସହ ଟିମ୍ ଇଣ୍ଡିଆ ୫ ଓ୍ଵିକେଟ ହରାଇ ୨୭୭ ରନ୍ କରିପାରିଛି।ଭାରତ-ଅଷ୍ଟ୍ରେଲିଆ ଭିତରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଛି ଭାରତୀୟ କ୍ରିକେଟ ଦଳ। ଅଷ୍ଟ୍ରେଲିଆର ୧୯୫ ରନ୍ ଜବାବରେ ଟିମ୍ ଇଣ୍ଡିଆ ଦ୍ଵିତୀୟ ଦିନ ଶେଷ ସୁଦ୍ଧା ହାତରେ ୫ଟି ଓ୍ଵିକେଟ ବାକି ଥାଇ ୨୭୭ ରନ୍ ସଂଗ୍ରହ କରିନେଇଛି। ରାହାଣେଙ୍କ ଅପରାଜିତ ଶତକ ଏବଂ ଗିଲ୍ ଓ ଜାଡେଜାଙ୍କ ଉପଯୋଗୀ ଇଂନିସ ବଳରେ ଭାରତ ଆଜି ଦିନର ଖେଳ ସୁଦ୍ଧା ୮୨ ରନ୍‌ର ଲିଡ୍ ନେଇପାରିଛି।ଦ୍ଵିତୀୟ ଟେଷ୍ଟରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା, ହେଲେ ବୁମ୍‌ରାଙ୍କ ଘାତକ ବୋଲିଂକୁ କଙ୍ଗାରୁ ଦଳ ସାମ୍‌ନା କରିପାରିନଥିଲା। ଏହାସହ ଅଶ୍ଵିନୀଙ୍କ ଅପ୍‌ସ୍ପିନ୍ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥିଲା। ଫଳ ସ୍ଵରୂପ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୧୯୫ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା।

ଏହାପରେ ଟିମ୍ ଇଣ୍ଡିଆର ଯୁବ ଓପନର୍ ସୁଭମନ ଗିଲ୍ ଓ ମୟଙ୍କ ଅଗ୍ରଓ୍ଵାଲ ଭାରତ ପାଇଁ ଇଂନିସ ଓପନ କରିଥିଲେ। ମୟଙ୍କ ପୁଣିଥରେ ବିଫଳ ହୋଇଥିବା ବେଳେ ଗିଲ୍ ନିଜର ଡେବ୍ୟୁ ମ୍ୟାଚ୍‌ରେ ୪୫ ରନ୍‌ର ଇଂନିସ ଖେଳିଛନ୍ତି। ବର୍ତ୍ତମାନ ରାହାଣେ ୧୦୪ ରନ୍ ଏବଂ ଜାଡ଼େଜା ୪୦ ରନ୍ କରି ଅପରାଜିତ ଅଛନ୍ତି।

Comment