ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁରଠାରେ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଜୟପୁର ଜିଲ୍ଲା କଂଗ୍ରେସ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହୀନିପତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର କୃଷିମାରଣ ବିଲ୍ ପ୍ରଣୟନ କରିଥିବାରୁ ଆଗାମୀ ଦିନରେ ଚାଷୀଙ୍କୁ ନେଇ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରୁନଥିବାରୁ ବେକାରୀ ସମସ୍ୟା ବଢ଼ୁଥିବା ତାରାପ୍ରସାଦ ଅଭିଯୋଗ କରିଛନ୍ତି।

ଦେଶ ଓ ରାଜ୍ୟର ଯାହାବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହିଁ ହୋଇଛି। ରାଜ୍ୟ ସରକାର ନିର୍ବାଚନ ସମୟରେ ୨ ଲକ୍ଷ ବେକାରୀଙ୍କୁ ନିଯୁକ୍ତି ଦେବା କଥା ଘୋଷଣା କରିଥିଲେ। କିନ୍ତୁ ରାଜ୍ୟରେ ପିଅନଠାରୁ ଆରମ୍ଭ କରି ଶିକ୍ଷକ, ଡାକ୍ତର, ଯନ୍ତ୍ରୀ ପଦବୀ ଖାଲି ପଡ଼ିଛି। ତେବେ ଏପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ କାହିଁକି ସୃଷ୍ଟି କରାଯାଇନାହିଁ ବୋଲି ବିଧାୟକ ବାହୀନିପତି ପ୍ରଶ୍ନ କରିଛନ୍ତି।

ଜୟପୁରର ବିଜେଡି ନେତାମାନେ ଗଞ୍ଜେଇ କାରବାର ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ବିଧାୟକ ବାହୀନିପତି କହିଛନ୍ତି। ଜଗନ୍ନାଥ ସାଗରର ବିକାଶ ପାଇଁ ୫ କୋଟି ଖର୍ଚ୍ଚ ହୋଇଥିବା ବିଜେଡି ନେତାମାନେ କହୁଛନ୍ତି। କିନ୍ତୁ ଏହି କାମରେ କେମିତି ବିକାଶ ହୋଇଛି ତାହା ଜୟପୁରବାସୀ ଭଲ ଭାବେ ଜାଣନ୍ତି ବୋଲି ତାରାପ୍ରସାଦ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଜୟପୁରର ବିକାଶ ଜାରି ରହିଛି। ବୋରିଗୁମ୍ମା ଏନ୍ଏସିର ମାନ୍ୟତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୟପୁରରେ ଆଇଟି ପାର୍କ, ସାଇନସ୍ ପାର୍କ କାର୍ଯ୍ୟ ଜାରି ରହିଛି। ଭିଡି କଲେଜକୁ ବିଶ୍ୱାବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଉଦ୍ୟମ ଜାରି ରହିଛି। ସହରର ରାସ୍ତା ଘାଟର ବିକାଶ ହେବାକୁ ଯାଉଛି। ତାରାପ୍ରସାଦ ବାହୀନିପତି ବିଧାୟକ ହେବା ପୁର୍ବରୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ୮ ରୁ ୯ ଜଣ ଡାକ୍ତର ଥିବା ବେଳେ ଏବେ ଜିଲ୍ଲା ଚିକିତ୍ସାଳୟ କରାଯାଇ ୪୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହ ନୂତନ ଚିକିତ୍ସାଳୟ ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ସେହିପରି ବିକ୍ରମ ଦେବ କଲେଜରେ ୪ଟି ପିଜି ପାଠ୍ୟକ୍ରମ ଥିବା ବେଳେ ଏବେ ୧୨ରୁ ଅଧକ ପିଜି ପାଠ୍ୟକ୍ରମ ଖୋଲାଯାଇଛି। କଲେଜ ପାଠାଗାରଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବିକାଶ ହୋଇଛି ବୋଲି ବାହୀନିପତି କହିଛନ୍ତି।

ଜିଲ୍ଲା କଂଗ୍ରେସର ଆହ୍ୱାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ମଦନ ନାୟକ ସଭାପତିତ୍ୱ କରିଥିବା ବେଳେ ଦୁର୍ଗା ଶଙ୍କର ସାହୁ, ଶିବ ପଟ୍ଟନାୟକ, ହସନ ମଦାନି, ରାମ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ନଳିନୀ ରଥ, ଜିଲ୍ଲା ଯୁବ ସଭାପତି ସୁକାନ୍ତ ପଟ୍ଟନାୟକ, ବ୍ରଜ ନାଗ, କାନ୍ତ ପାଢ଼ୀ, ପ୍ରଫୁଲ୍ଲ ଭତ୍ରା, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment