ଓଡ଼ିଶାଲାଇଭ୍‌ ବ୍ୟୁରୋCINEMA HALL

କେତେକ ରାଜ୍ୟରେ ଜାନୁଆରିରୁ ସିନେମା ହଲ୍ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି। ହେଲେ ରିଲିଜ୍ ହେବା ପାଇଁ ଫିଲ୍ମ କାହିଁ। ପ୍ରଡକ୍ସନ ନାହିଁ କହିଲେ ଚଳେ। କିଛି ନାମୀଦାମୀ ହିରୋ ହିରୋଇନ ୱେବରେ ନିଜକୁ ରିଲିଜ କରାଇସାରିଛନ୍ତି। ହେଲେ ତାହା ସମୁଦ୍ରକୁ ଶଂଖେ। କହିବାକୁ ଗଲେ ବଲିଉଡଠାରୁ ଆରମ୍ଭ କରି ସବୁ ଆଞ୍ଚଳିକ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗତ ୮ ମାସ ହେଲା ତାଲା ପଡ଼ିଛି। ବଡ଼ବଡ଼ ପ୍ରଡ୍ୟୁସରଙ୍କଠାରୁ ଆରମ୍ଭ କରି ସ୍ପଟ୍ ବୟ ପର୍ଯ୍ୟନ୍ତ କାହା ପାଖରେ କାମ ନାହିଁ। ଏଥିପାଇଁ କେବଳ ବଲିଉଡରେ କ୍ଷତି ୨ ହଜାର କୋଟିରୁ ଅଧିକ। ଅଭିନେତା ଅଭିନେତ୍ରୀଙ୍କ କ୍ଷତିର ହିସାବ ଲଗାଇବା କଷ୍ଟକର। କାରଣ ସେମାନେ ସିନେମା ସହ, ବିଭିନ୍ନ ପ୍ରମୋସନାଲ କାମ, ଷ୍ଟେଜ୍ ସୋ’ରୁ ଅନେକ ଅର୍ଥ ରୋଜଗାର କରନ୍ତି। ନୂଆ ବିଜ୍ଞାପନ ମଧ୍ୟ ନାହିଁ ସେଥିରୁ ବି ରୋଜଗାର ଶୂନ। ଗୋଟିଏ ଗୋଟିଏ ସିଙ୍ଗଲ୍ ସ୍କ୍ରିନ୍ ଥିବା ହଲ ଅତି କମରେ ମାସକୁ ୧୦ ଲକ୍ଷରୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହରାଇଛନ୍ତି।

ବର୍ଷକୁ ୨୦୦ରୁ ଅଧିକ ଛୋଟବଡ଼ ବଜେଟର ହିନ୍ଦୀ ଫିଲ୍ମ ରିଲିଜ୍ ହୁଏ। ଏଥିରୁ ପ୍ରାୟର ୩ ହଜାର କୋଟିରୁ ଅଧିକ ରୋଜଗାର ହୁଏ। କିନ୍ତୁ ୨୦୨୦ ମାର୍ଚ୍ଚରୁ ସିନେମା ହଲ୍ ବନ୍ଦ ହେବା ପରଠାରୁ ରୂପେଲି ପରଦାରେ ଅନ୍ଧାର ଖେଳିଯାଇଛି। ଏବେ ସିନେମା ହଲ୍ ଖୋଲିବା ପାଇଁ ସରକାର ମଞ୍ଜୁରି ଦେବା ବେଳେ ପ୍ରଯୋଜକଙ୍କଠାରୁ ଆରମ୍ଭ କରି ସିନେମାହଲ୍ ମାଲିକଙ୍କ ମନରେ ଅନେକ ଚିନ୍ତା। କାରଣ ଲୋକ ଏବେ ସିନେମାହଲ ଯିବାକୁ ନିରାପଦ ମଣୁନାହାନ୍ତି। ତା ପରେ ୫୦ ପ୍ରତିଶତ ଦର୍ଶକରେ ସିନେମାହଲ୍ ଚାଲିବ। ସାନିଟାଇଜସେନ ବାବଦକୁ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ। ଏତେ ସବୁ ବ୍ୟବସ୍ଥା ଭିତରେ ସିନେମାହଲ୍ ଚଲାଇବା ଆଦୌ ସହଜ ହେବ ନାହିଁ।CINEMA HALL

ଏହାତ ଗଲା ସିନେମାହଲ୍ ପରିଚାଳନାର କଥା। ସିନେମା ହଲ୍ ଖୋଲିଲେ ମଧ୍ୟ ସେଠାରେ ଚାଲିବ କ’ଣ, ତାହା ହେଉଛି ବଡ଼ ପ୍ରଶ୍ନ। କାରଣ ଏ ଭିତରେ ସିନେମା ଆଦୌ ତିଆରି ହୋଇନାହିଁ। କାରଣ ଢେର୍ ଦିନ ପର୍ଯ୍ୟନ୍ତ ଆଉଟଡୋର୍ ଆଉ ଇନଡୋର୍ ସୁଟିଂ ବନ୍ଦ ରହିଛି। ତେଣୁ ଏ ଭିତରେ କିଛି ନୂଆ ଫିଲ୍ମ ଆସିବାର ସମ୍ଭାବନା ବି ନାହିଁ। ସିଙ୍ଗଲ ସ୍କ୍ରିନ୍ ମାଲିକମାନଙ୍କୁ ସବୁଠାରୁ ସାଂଘାତିକ ସ୍ଥିତି ଦେଖିବାକୁ ମିଳିପାରେ। ୨୦୨୦ରେ ବନ୍ଦ ହୋଇଥିବା ଏହି ହଲ୍ ଗୁଡ଼ିକଆଉ ୨୦୨୧ରେ ଖୋଲିବା ବି ସମ୍ଭବ ହୋଇ ନପାରେ।

ସିନେମା ତିଆରି ବନ୍ଦ ହୋଇଥିବାରୁ ବଲିଉଡ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ରୋଜଗାର ହରାଇଛନ୍ତି। ଅଧିକ ରୋଜଗାର କରୁଥିବା ଲୋକ ସଞ୍ଚିତ ଅର୍ଥରେ ଚଳୁଛନ୍ତି। ହେଲେ ଏମିତି ଅନେକ ଲୋକ ବଲିଉଡରେ ଅଛନ୍ତି ଯେଉଁମାନେ ଦିନେ କାମକୁ ନ ଗଲେ ପରିବାର ଚଳାଇବା କଷ୍ଟକର ହୋଇପଡ଼େ। ବଲିଉଡରେ କାମ କରୁଥିବା ଓ୍ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ ଫେଡେରସନରେ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଅଭିନେତ୍ରୀଙ୍କୁ ମିଶାଇ ୫ ଲକ୍ଷରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨.୫ଲକ୍ଷ କେବଳ ସାଧାରଣ କର୍ମଜୀବୀ। ସେମାନଙ୍କ ମଧ୍ୟରେ ଜୁନିଅର ଆର୍ଟିଷ୍ଟ, ମେକ୍ଅପ୍ ଆର୍ଟିଷ୍ଟ, ସେଟ୍ ଡିଜାଇନର, ବଢ଼େଇ, ସହଯୋଗୀ ନର୍ତ୍ତକନର୍ତ୍ତକୀ ଅଛନ୍ତି। ଯେଉଁମାନଙ୍କ ମାସିକ ରୋଜଗାର କେଇହଜାର ଟଙ୍କା।

୨୦୨୧ରେ ବଲିଉଡ ଯଦି ବି ସ୍ୱାଭାବିକ ହୁଏ, ତେବେ ଏହି ଲୋକମାନଙ୍କୁ କ୍ଷତି ଭରଣା କରିବାକୁ ଆହୁରି କେତେବର୍ଷ ଲାଗିଯିବ।

କିଛି ପ୍ରଯୋଜକ ସେମାନଙ୍କ ଫିଲ୍ମକୁ ହଲ୍ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ତରବରିଆ ପୋଷ୍ଟପ୍ରଡକ୍ସନ ସାରି ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଇଦେଇଛନ୍ତି। ୨୦୨୦ ବର୍ଷରେ ପ୍ରଥମ ଫିଲ୍ମ ଭାବେ ନାନୋ ପ୍ଲାଟଫର୍ମରେ ଗୁଲାବୋସିତାବୋ ରିଲିଜ୍ ହୋଇଥିଲା। ଏଥିରେ ପ୍ରଯୋଜକମାନେ ବିଶେଷ ଲାଭବାନ ହୋଇନାହାନ୍ତି। ଅଧିକ ଲାଭବାନ ହୋଇଛନ୍ତି ଡିଜିଟାଲ୍ ପ୍ଲାଟଫର୍ମର ମାଲିକମାନେ।

୨୦୨୦ରେ ରିଲିଜ ହେବାକୁ ଥିବା  ବିଗ୍ ବଜେଟର ଫିଲ୍ମ ଅକ୍ଷୟ କୁମାରଙ୍କ ସୁର୍ଯ୍ୟବଂଶୀ ଓ ରଣବୀର ସିଂହଙ୍କ ୮୩’ ରିଲିଜ୍ ଅପେକ୍ଷାରେ ରହିଛି। ଗତ ମାର୍ଚ୍ଚ ଏପ୍ରିଲରେ ଏହି ଦୁଇଟି ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ କରୋନା ପାଇଁ ରିଲିଜ୍ ହୋଇପାରି ନ ଥିଲା। ଏବେ ହଲ୍ ଖୋଲିଲେ ମଧ୍ୟ ରିଲିଜ୍ କରିବା ସମ୍ଭବ ନୁହେଁ ବୋଲି ଏହାର ପ୍ରଯୋଜନା ସଂସ୍ଥା କହିଛନ୍ତି। ଅତି କମରେ ପୁଣି ଏପ୍ରିଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

Comment