ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସଦ୍ୟ ନିଆଯାଇ ଥିବା ଏକ ନିଷ୍ପତ୍ତିକୁ ନେଇ ପ୍ରଶାସନିକ ମହଲରେ ଏବେ ଜୋର ଚର୍ଚ୍ଚା। ଅବସର ଗ୍ରହଣ କରିବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ନିଯୁକ୍ତି ରାଜନୈତିକ ମହଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିକାଶ ପରିଷଦ ଅଧ୍ୟକ୍ଷ ସହ ଅସିତ ତ୍ରିପାଠୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି। ଆଗରୁ କେହି କେବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇନଥିଲେ। ତ୍ରିପାଠୀଙ୍କ ନିଯୁକ୍ତି ଘୋଷଣା ପରେ ସେ ଯେଉଁ ବିବୃତ୍ତି ପ୍ରଦାନ କରିଥିଲେ ତାହାକୁ ଯଦି ତର୍ଜମା କରାଯାଏ ସେଥିରୁ ଗୋଟିଏ କଥା ବାହାରିବ ଯେ ପଶ୍ଚିମ ଓଡ଼ିଶାର ବିକାଶରେ ଯେଉଁ ଘୋର ଅସନ୍ତୁଳନ ରହିଛି ତାହାକୁ ଦୂର କରିବା ପାଇଁ ନବୀନ ପଟ୍ଟନାୟକ ଚାହୁଁଛନ୍ତି। ଶାସକ ଦଳ ପକ୍ଷରୁ ସବୁ ଅଞ୍ଚଳ ଓ ସବୁ ବର୍ଗର ଲୋକଙ୍କ ଉନ୍ନତି କେବଳ ଘୋଷଣାରେ ରହିଥିଲା। ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିବା ପରେ ସେହି ସ୍ଥିତି ବାସ୍ତବିକ ବଦଳିବ ବୋଲି ଆଶା କରାଯାଉଛି।
ପ୍ରଥମେ ତ ଅସିତ ତ୍ରିପାଠୀ ଜଣେ ଦକ୍ଷ ଅଫିସର ଓ କାମ ଛଡ଼ା ସେ ଆଉ କିଛି ଜାଣନ୍ତି ନାହିଁ। ତା’ ଛଡ଼ା ସେ ନିଜେ ପଶ୍ଚିମ ଓଡ଼ିଶାର ଲୋକ। ଏଣୁ ତାଙ୍କ ନିଯୁକ୍ତି ଉଭୟ ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଅବଶ୍ୟ କାର୍ଯ୍ୟକ୍ଷେତ୍ରରେ ତାଙ୍କୁ କେତେ ସ୍ୱାଧୀନତା ମିଳିବ ତାହା ସମୟ ହିଁ କହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କେତେଦୂର ସନ୍ତୁଷ୍ଟ କରିପାରିବେ ତାହା ଅପେକ୍ଷା କରି ଦେଖିବାକୁ ପଡ଼ିବ।
ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶ କଥା ଏତେ ସହଜ ନୁହେଁ କାରଣ ଏଥିରେ ଅନେକ ମଞ୍ଜ  କଥା ରହିଛି ଓ ଅନେକ ଖେଳୁଆଡ଼ ସେଠି ଅଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଛନ୍ତି ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଯାକ ଲୋକସଭା ଆସନ ଆଗାମୀ ନିର୍ବାଚନରେ ବିଜେଡି ପାଖକୁ ଆସିବ। ଏ ସବୁ ବର୍ତ୍ତମାନ ବିଜେପି ହାତରେ ରହିଛି।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଯେଉଁଭଳି ଲାଗିପଡ଼ିଛି, ଓଡ଼ିଶାରେ ବି ସେଭଳି କିଛି ଘଟିପାରେ ବୋଲି ନବୀନ ଆଭାସ ପାଇଛନ୍ତି।ଏହି କାରଣରୁ ପଶ୍ଚିମ ଓଡ଼ିଶାର ବିକାଶକୁ ଠିକଣା ଢଙ୍ଗରେ ଆଗେଇ ନେବା ହେଉଛି ନବୀନଙ୍କ ଲକ୍ଷ୍ୟ।

ବିଭିନ୍ନ ଉନ୍ନୟନ ମାପଦଣ୍ଡରେ ଏବେ ବି ପଶ୍ଚିମ ଓଡିଶାର ୮ ଜିଲ୍ଲା ପଛରେ ପଡିଛନ୍ତି ଯଦିଓ ସରକାରଙ୍କ ପକ୍ଷରୁ ଅନେକ ଟଙ୍କା ଖର୍ଚ୍ଚ କରାଯାଇଛି। ନିଜେ ତ୍ରିପାଠୀ ଯେହେତୁ ପ୍ରଶାସନର ମୁଖ୍ୟ ଥିଲେ ବିକାଶ ପାଇଁ ପ୍ରକୃତରେ  କ’ଣ କରିବାକୁ ହେବ ସେ ତାହା ଭଲ ଭାବରେ ଜାଣନ୍ତି। ଅନ୍ୟ ରାଜନୈତିକ ଅଧ୍ୟକ୍ଷଙ୍କଠାରୁ ତ୍ରିପାଠୀଙ୍କ କାର୍ଯ୍ୟଧାରା ସମ୍ପୂର୍ଣ ଭିନ୍ନ ହେବ ଓ ଆଗାମୀ ଦିନରେ ଲୋକେ ବିକାଶକୁ ପ୍ରକୃତରେ ଅନୁଭବ କରି ପାରିବେ ସେହି ଲକ୍ଷ୍ୟ ନେଇ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ଆଲୋଚନା ହେଉଛି।

ହେଲେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଶାସକ ଦଳ ପାଖରେ   ଯେଉଁ ଅଭାବଟି ରହିଛି ତାହାକୁ ପୁରଣ କରିବାରେ ତ୍ରିପାଠୀ ନିଶ୍ଚିତରେ  ସମର୍ଥ ହେବେ ଏହା ଆଶା କରାଯାଉଛି। ଯଦି ତାହା ହୁଏ ,ପଶ୍ଚିମ ଓଡ଼ିଶାରେ ଭବିଷ୍ୟତରେ ଖେଳ ପୂରା ବଦଳିବ ଏହା ନିଶ୍ଚିତ।

Comment