ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଦୀର୍ଘ ୧୦ ମାସର ପ୍ରତୀକ୍ଷା ପରେ ସୋମବାରଠାରୁ ନବରଙ୍ଗପୁରର ବିଭିନ୍ନ ମନ୍ଦିର ଖୋଲିଛି। ଫଳରେ ଭକ୍ତମାନେ କୋଭିଡ୍ କଟକଣା ମଧ୍ୟରେ ଭଗବାନଙ୍କୁ ଦର୍ଶନ କରିଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୨୦୧୯ ମାର୍ଚ୍ଚ ମାସଠାରୁ ଜିଲ୍ଲାର ସମସ୍ତ ମନ୍ଦିର ବନ୍ଦ ରହିଥିଲା। ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା।ଆଜି ପ୍ରଶାସନର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁରର ଶ୍ରୀଜଗନ୍ନାଥ ମନ୍ଦିର ଗେଟ୍ ଖୋଲାଯାଇଥିଲା। ଗେଟ୍ ମଧ୍ୟ ଦେଇ ଯାଉଥିବା ଭକ୍ତଙ୍କର ପ୍ରଥମେ କୋଭିଡ୍ ନିୟମ ଅନୁଯାୟୀ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସାନିଟାଇଜ୍ କରାଯାଇ ଭକ୍ତଙ୍କୁ ଭିତରକୁ ଛଡ଼ାଯାଇଥିଲା। ଏଥିସହିତ ସମସ୍ତ ଭକ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ଭୋର ୬ଟାରେ ମନ୍ଦିର ଦ୍ୱାର ଫିଟିବା ପରେ ଶ୍ରୀ ଜଗନ୍ନାଥଙ୍କ ମଙ୍ଗଳ ଆଳତି, ଅବକାଶ ନୀତି ଆଦି କରାଯାଇଥିଲା। ଏହାପରେ ସକାଳ ୬ଟା ୩୦ରୁ ସମସ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା। ଶତାଧିକ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରି ଅତ୍ୟନ୍ତ ଭାବବିହ୍ଵଳ ହୋଇପଡ଼ିଥିଲେ।

ମନ୍ଦିର ଖୋଲିବା ସମୟରେ ରାଜ ପୁରୋହିତ ନରସିଂହ ତ୍ରିପାଠୀ, ମନ୍ଦିର ପୂଜକ ଦେବୀ ନାୟକ, ପୂଜକ ରବୀନ୍ଦ୍ର ନାଥ ଶତପଥୀ, ମନ୍ଦିର ନିଯୋଗ କମିଟିର ସଭାପତି ନରେଶ ତ୍ରିପାଠୀ, ଉପସଭାପତି ଭବାନୀ ଶତପଥୀ, ଉପଦେଷ୍ଟା ରାଜେନ୍ଦ୍ର ତ୍ରିପାଠୀ, ନରସିଂହ ତ୍ରିପାଠୀ, ବାବୁଲା ଦଳେଇ, ଦୁର୍ଗା ତ୍ରିପାଠୀ, ମିଟୁ ଶତପଥୀ, ବାଳକୃଷ୍ଣ ମିଶ୍ର, ରାଧାମୋହନ ହଡ଼ପ, ଶ୍ୟାମ ମହାନ୍ତି, ସୁଭମ ନାୟକ, ଓମ ନାୟକ, ମୁନା ଦାସ, ଚୈତନ୍ୟ ନାୟକ, ବାବୁ ରାଓ ଏବଂ ଶ୍ରୀ ଜଗନ୍ନାଥ ନୀତି ପରିଚାଳନା ନିଯୋଗର ସାଧାରଣ ସମ୍ପାଦକ କୁନା ପାତ୍ରଙ୍କ ସମେତ ନିଯୋଗ କମିଟିର ସମସ୍ତ ସଦସ୍ୟ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିରର କୀର୍ତ୍ତନ ମଣ୍ଡଳୀବୃନ୍ଦ ଉପସ୍ଥିତ ଥିଲେ।ଜଗନ୍ନାଥ ମନ୍ଦିର ବ୍ୟତୀତ ଜିଲ୍ଲାରେ ଥିବା ମା ଲକ୍ଷ୍ମୀଙ୍କ ମନ୍ଦିର, ମା ଭଣ୍ଡାରଘରଣୀ ମନ୍ଦିର, ଶ୍ରୀ ଚୈତନ୍ୟ ମନ୍ଦିର, ଶ୍ରୀ ରାମ ହନୁମାନ ମନ୍ଦିର, ଶ୍ରୀ ସତ୍ୟନାରାୟଣ ମନ୍ଦିର, ବାବା ଆଖଣ୍ଡଳମଣି ମନ୍ଦିର, ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର, ମା କନକ ପରମେଶ୍ୱରୀ ମନ୍ଦିର, ପାପଡ଼ାହାଣ୍ଡି ପ୍ରସିଦ୍ଧ ନୀଳକଣ୍ଠେଶ୍ୱର ମନ୍ଦିର, ଡାବୁଗାଁ କେଲିଆ ଶିବ ମନ୍ଦିର, ଉମରକୋଟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, ମା ପେଣ୍ଡରାଣୀ ମନ୍ଦିର, ଚାନ୍ଦାହାଣ୍ଡି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମେତ ସମସ୍ତ ଛୋଟ ବଡ଼ ମନ୍ଦିର ଖୋଲିଛି। ଫଳରେ ଦୀର୍ଘ ୧୦ ମାସ ହେବ ଖାଁ ଖାଁ ହୋଇ ରହିଥିବା ମନ୍ଦିର ପରିସର ଚଳଚଞ୍ଚଳ ହୋଇ ଉଠିଛି।

Comment