ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କାଜଲଙ୍କ ଓଡ଼ିଶୀ ନୃତ୍ୟଶିଳ୍ପୀ ଅବତାରକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି। କାଜଲ ତାଙ୍କ ପ୍ରଥମ ଡିଜିଟାଲ ଡେବ୍ୟୁ ଫିଲ୍ମରେ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଭାବେ ନଜର ଆସିଛନ୍ତି। ଏହି ଫିଲ୍ମର ଟାଇଟଲ ହେଉଛି ‘ତ୍ରିଭଙ୍ଗ’। ତେବେ ସବୁଠୁ ଖାସ କଥା ହେଉଛି ଯେ ବଲିଉଡରେ ଏହା ପ୍ରଥମ ଫିଲ୍ମ ନୁହେଁ ଯେଉଁଥିରେ ଓଡ଼ିଶୀ ନୃତ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏହାପୂର୍ବରୁ ବି ଅନେକ ଫିଲ୍ମରେ ଓଡ଼ିଶୀ ନୃତ୍ୟର ଝଲକ ଦେଖାଯାଇଛି।

ତ୍ରିଭଙ୍ଗ

ଓଡ଼ିଶୀ ନୃତ୍ୟରେ ତ୍ରିଭଙ୍ଗ ହେଉଛି ଏକ ନୃତ୍ୟ ଭଙ୍ଗୀ, ଯାହାକୁ ନେଇ ଫିଲ୍ମର ଟାଇଟଲ ‘ତ୍ରିଭଙ୍ଗ’ ରହିଛି। ନାରୀ କୈନ୍ଦ୍ରୀକ ଏହି ଫିଲ୍ମରେ ୩ଟି ପିଢ଼ିର ମହିଳାଙ୍କ ପସନ୍ଦ ଓ ସେମାନଙ୍କ ଜୀବନ ଶୈଳୀକୁ ଦେଖାଯାଇଛି। ରେଣୁକା ସାହାଣୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କାଜଲ ଅନୁ ଭୂମିକାରେ, ତନଓ୍ୱୀ ଆଜମୀ ନୟନ ଭୂମିକାରେ, ମିଥିଲା ପାଳକର ମାଶା ଭୂମିକାରେ ଅଭିନୟ କରିଛନ୍ତି। ଆସନ୍ତା ୧୫ ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ସିନେମାଟି ରିଲିଜ ହେବ।

ପାୟଲ କି ଝଙ୍କାର

୧୯୮୦ରେ ରିଲିଜ ହୋଇଥିଲା ଫିଲ୍ମ ‘ପାୟଲ କି ଝଙ୍କାର’। ଏହି ଫିଲ୍ମରେ ବି ଓଡ଼ିଶୀ ନୃତ୍ୟର ଝଲକ ଦେଖାଯାଇଥିଲା। ଫିଲ୍ମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଅଭିନେତ୍ରୀ ରୁପିଣୀ ଓ ସୁରିନ୍ଦର କୌର। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସତ୍ୟେନ ବୋଷ।

ହମାରୀ ବେଟି

ଆଉ ଏକ ହିନ୍ଦୀ ଫିଲ୍ମ ହେଉଛି ‘ହମାରୀ ବେଟି’। ଏହି ଫିଲ୍ମରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶକ୍ତି ସ୍ୱରୁପ ବୀରଙ୍କ ବାସ୍ତବ ଜୀବନ କାହାଣୀକୁ ଦେଖାଯାଇଥିଲା। ଏହାର ନିର୍ଦ୍ଦେଶନା ଏ କେ ବୀର ଦେଇଥିଲା ବେଳେ ଏହାର ପ୍ରଯୋଜନା ଦାୟିତ୍ୱରେ ଥିଲେ ରାମା ନାଇଡୁ।

ଦ ଡିଜାୟର

୨୦୧୦ରେ ପରଦାକୁ ଆସିଥିଲା ଅନ୍ୟ ଏକ ଫିଲ୍ମ ‘ଦ ଡିଜାୟର’। ଏହି ଫିଲ୍ମରେ ଅଭିନେତ୍ରୀ ଶିଳ୍ପା ସେଠୀ ଏକ ଗୀତରେ ଓଡ଼ିଶୀ ନୃତ୍ୟ କରିଥିଲେ। ଏଥିପାଇଁ ସେ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁଅ ଗୁରୁ ରତିକାନ୍ତ ମହାପାତ୍ରଙ୍କଠାରୁ ନୃତ୍ୟ ଶିଖିଥିଲେ।

ତେବେ କେବଳ ହିନ୍ଦୀ ନୁହେଁ ୧୯୫୫ରେ ବଙ୍ଗଳା ଫିଲ୍ମ ‘ଯୁଗାନ୍ତ’, ୧୯୮୮ରେ ତେଲୁଗୁ ଫିଲ୍ମ ‘ସ୍ୱର୍ଣ୍ଣ କମଳମ’, ୨୦୧୩ରେ ମାଲାୟମଲ ଫିଲ୍ମ ‘ଓଡ଼ିଶା’ ରେ ଓଡ଼ିଶୀ ନୃତ୍ୟ ଦେଖିବାକୁ ମିଳିଥିଲା।

ଏହାଛଡ଼ା ଲୋକପ୍ରିୟ ପପ୍‌ଷ୍ଟାର ମାଇକେଲ ଜ୍ୟାକସନଙ୍କର ୧୯୯୧ରେ ଏକ ‘ବ୍ଲାକ ଆଣ୍ଡ ହ୍ୱାଇଟ’ ଏକ ମ୍ୟୁଜିକ ଭିଡିଓ ଆସିଥିଲା। ଏଥିରେ ଓଡ଼ିଶୀ ନୃତ୍ୟ ସ୍ଥାନ ପାଇବା ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା। ଏଥିରେ ତାଙ୍କ ସହିତ ଅଭିନେତ୍ରୀ ‘ଯମୁନା’ଙ୍କୁ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here