ଓଡ଼ିଶାଲାଇଭ୍ ବ୍ୟୁରୋ

ସିଡନୀରେ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ।

ଦ୍ୱିତୀୟ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବା ପରେ ତୃତୀୟ ଟେଷ୍ଟରେ ଲଢୁଆ ବ୍ୟାଟିଂ କରିଛି କଙ୍ଗାରୁ ଦଳ। ଗୁରୁବାରଠାରୁ ସିଡନୀରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ମାତ୍ର ୨ ୱିକେଟ୍ ହରାଇ ୧୧୬ ରନ ସଂଗ୍ରହ କରିନେଇଛି। ଅନ୍ୟପଟେ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଜିତି ସିରିଜ ଲିଡ୍ ନେବାକୁ କସରତ ଜାରି ରଖିଛି।

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାପରେ ଟିମ୍ ଇଣ୍ଡିଆ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଚତୁର୍ଥ ଓଭରରେ ହିଁ ଡେଭିଡ୍ ୱାର୍ଣ୍ଣରଙ୍କୁ ଆଉଟ୍ କରି ଦ୍ରୁତ ବୋଲର ମହମ୍ମଦ ସିରାଜ ଟିମ୍ ଇଣ୍ଡିଆରେ ଉତ୍ସାହ ଆଣି ଦେଇଥିଲେ।ୱାର୍ଣ୍ଣର ଆଉଟ୍ ହେବା ପରେ କିନ୍ତୁ ଅଷ୍ଟ୍ରେଲିଆ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲା। ଅନ୍ୟ ଓପନର ପୁକୋଭସ୍କି ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ଲାବୁସଚେଞ୍ଜଙ୍କ ସହ ମିଶି ୬୨ ରନର ଦମଦାର ଇଂନିସ ଖେଳିଥିଲେ। ପୁକୋଭସ୍କି ଆଉଟ୍ ହେବା ପରେ ମଧ୍ୟ ଷ୍ଟିଭ୍ ସ୍ମିଥ ଭାରତକୁ ୱିକେଟ୍ ନେବାର ଅନ୍ୟ କିଛି ସୁଯୋଗ ଦେଇନଥିଲେ।

ଭାରତ ତରଫରୁ ଦ୍ରୁତ ଦୁଇ ନୂଆ ବୋଲର ନବଦୀପ ସୈନୀ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଫ୍ ସ୍ପିନର ଆର୍ ଅଶ୍ୱିନୀ ୧୭ ଓଭର ବୋଲିଂ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ। ସୂଚନାଯୋଗ୍ୟ ଯେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ ସ୍ଥିତିରେ ରହିଛି। ଏବେ ଏହାର ତୃତୀୟ ମ୍ୟାଚ୍ ସିଡନୀରେ ଖେଳାଯାଉଛି। ଯାହାକୁ ଜିତି ସିରିଜରେ ଲିଡ୍ ନେବାକୁ ଉଭୟ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛନ୍ତି।

Comment