ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିବ। କୋଭିଡ ଗାଇଡଲାଇନ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଆସିବେ। ଏଥିପାଇଁ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ବେଶ ଉତ୍ସାହିତ ଅଛନ୍ତି। ସ୍କୁଲ ଖୋଲିବା ଆଗରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଭୁବନେଶ୍ୱରର କେତେକ ସ୍କୁଲ ଯାଇ ସ୍ଥିତି ପରଖିଛନ୍ତି।

ସ୍କୁଲରେ ଶାରିରୀକ ଦୂରତା ରକ୍ଷା କରିବା ଲାଗି ବ୍ୟବସ୍ଥା ହୋଇଛି କି ନାହିଁ, ପିଲାମାନଙ୍କ ପାଣି ପିଇବା ପାଇଁ ସୁବିଧା ଅଛି ନାହିଁ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ପାଳନ ହେଉଛି କି ନାହିଁ ତାହା ଦେଖିଛନ୍ତି। ପିଲାମାନଙ୍କ ସୁରକ୍ଷାରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରି ୮ ତାରିଖରୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ କ୍ଲାସ ହେବ। ସେହିପରି ଜାନୁଆରି ୮ରୁ ଏପ୍ରିଲ୍ ୨୮ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀର ପିଲାମାନେ କ୍ଲାସରୁମରେ ପାଠ ପଢ଼ିବେ।ଶନିବାର ଓ ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠପଢ଼ା ହେବ।

ଏହାପରେ ଏପ୍ରିଲ ୨୭ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ହେବ। ଏହାପରେ ମେ ୩ରୁ ୧୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ। ସେହିପରି ଏପ୍ରିଲ ୨୯ରୁ ମେ ୧୪ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରାକ୍ଚିକାଲ ଏବଂ ମେ ୧୫ରୁ ଜୁନ୍ ୧୧ ଲିଖିତ ପରୀକ୍ଷା ହେବ।

ରାଜ୍ୟରେ କରୋନା ସ୍ଥିତି ଯୋଗୁଁ ଦୀର୍ଘ ୯ ମାସ ହେଲା ସ୍କୁଲ ବନ୍ଦ ରହିଛି। ଫଳରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। କାରଣ ଅନଲାଇନ ପାଠ ହେଉଥିଲେ ବି ଏହା ସବୁଠୁ ସଫଳ ହୋଇପାରିନାହିଁ।

Comment