ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶରେ ସପ୍ତାହକ ଭିତରେ ଆରମ୍ଭ ହୋଇପାରେ ଟିକାକରଣ। ଏହାକୁ ଦୃଷ୍ଟିରେ ଶୁକ୍ରବାରଠାରୁ ସାରାଦେଶରେ ଡ୍ରାଏ ରନ କରାଯିବ। ତେବେ ଏହାପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଏଥିରେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ କ’ଣ କରିବାକୁ ହେବ ସେନେଇ ଆଲୋଚନା କରାଯାଇଛି। ଏହାସହିତ ପ୍ରତି ରାଜ୍ୟକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଟିକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ସେଠାରେ ସ୍ୱତନ୍ତ୍ର ଏଇଏଫ୍‌ଆଇ (Adverse event following immunization) କିଟ୍‌ ରଖାଯିବ। ଏଥିରେ ଆବଶ୍ୟକୀୟ ମେଡିସନ୍‌ ଓ ଇଞ୍ଜେକ୍ସନ ରହିବ। ଏହାକୁ ପରିଚାଳନା କରିବା ଲାଗି ତାଲିମ ପ୍ରାପ୍ତ ଏଏନଏମ୍‌ ଉପସ୍ଥିତ ରହିବେ।

ଯଦି ମାମଲା ଅଧିକ ଗୁରୁତର ହେଲା ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏଇଏଫ୍‌ଆଇ ସେଣ୍ଟରକୁ ସ୍ଥାନାନ୍ତରଣ କରାଯିବ। ସେଠାରେ ବ୍ୟକ୍ତିଙ୍କ ଚିକିତ୍ସା କରାଯିବ।

ଟିକାକରଣ ପରେ ପାର୍ଶ୍ୱ ପ୍ରଭାବ ଉପରେ ନିରୀକ୍ଷଣ ଉପରେ ଗରୁତ୍ୱ ଦେଇ କିଛି ଦିନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ଏକ ନିର୍ଦ୍ଦିଷ୍ଟ ଏଇଏଫ୍‌ଆଇ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଯେଉଁ କେନ୍ଦ୍ରରେ ସ୍ନାୟୁରୋଗ, ହୃଦ୍‌ରୋଗ, ରେସ୍ପିରେଟୋରି ମେଡିସିନ୍, ଶିଶୁରୋଗ ବିଶେଷଜ୍ଞ ରହିବେ।

Comment