ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍‌(ନାଲ୍‌କୋ)ର ସଂପ୍ରସାରଣ ପାଇଁ ଆଗାମୀ ୭ରୁ ୮ ବର୍ଷ ମଧ୍ୟରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଏହା କମ୍ପାନିର ସ୍ଥିରତା ଏବଂ ବଜାର ପ୍ରତିଦ୍ୱନ୍ଦିତା ପାଇଁ ସାହାଯ୍ୟ କରିବ। ଗୁରୁବାର ଭୁବନେଶ୍ୱରଠାରେ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହା କହିଛନ୍ତି।

ଆସନ୍ତା ୭ରୁ ୮ ବର୍ଷ ମଧ୍ୟରେ ହେବାକୁ ଥିବା ଏହି ସମ୍ପ୍ରସାରଣ ଯୋଜନାରେ, ଏହାର ଆଲୁମିନା ବିଶୋଧନାଗାରର ଏକ ମିଲିୟମ ଟନ୍‌ ବୃଦ୍ଧି କରାଯିବା ସହିତ ୩.୫ ମିଲିୟମ ଟନ୍‌ କ୍ଷମତା ବିଶିଷ୍ଟ ପଟାଙ୍ଗୀ ବକସାଇଟ ଖଣି ଏବଂ ଉତ୍କଳ-ଡି, ଉତ୍କଳ-ଇ କୋଇଲା ବ୍ଲକ କାର୍ଯ୍ୟକ୍ଷମ ହେବ। ଏଥିସହ ଏହି ଅଭିବୃଦ୍ଧି ଯୋଜନାରେ ଅନୁଗୁଳସ୍ଥିତ ଆଲୁମିନିୟମ ସ୍ମେଲଟର କ୍ଷମତାକୁ ୦.୫ ମିଲିୟନ ଟନ୍‌ ଏବଂ ନିଜସ୍ୱ ପାଓ୍ୱାର ପ୍ଲାଣ୍ଟକୁ ଆଉ ପ୍ରାୟ ୧୨୦୦ ମେଗାଓ୍ୱାଟକୁ ବୃଦ୍ଧି କରାଯିବାକୁ ସେ କହିଛନ୍ତି।

‘‘୧୯୮୧ ମସିହାରେ ଅତି ସାମାନ୍ୟ ବିନିଯୋଗରୁ ଆରମ୍ଭ ହୋଇଥିବା ନାଲକୋ ୪ ଦଶନ୍ଧିରୁ ଅଧିକ ସମୟ ଧରି  ଉତ୍କୃଷ୍ଟ ପ୍ରଦର୍ଶନ ସହିତ ଏହାର ନେତୃତ୍ୱ ସ୍ଥିତିକୁ ବଜାଇ ରଖିଛି। ବର୍ତ୍ତମାନ ଏହା ନିରନ୍ତର ଅଭିବୃଦ୍ଧି ଓ ବସ୍ତାର ସହିତ ଏହି କେନ୍ଦ୍ରୀୟ ଉଦ୍ୟୋଗକୁ ବ୍ୟବସାୟର ଉତ୍କର୍ଷତା ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବ’’, କହିଛନ୍ତି ପ୍ରହଲ୍ଲାଦ ଯୋଶୀ।

ଏହାସହିତ ସେ ଉତ୍ପାଦନ ଓ ଉତ୍ପାଦନଶୀଳତାକୁ ଅନୁକୂଳସମ୍ପନ୍ନ କରିବା ପାଇଁ ପ୍ରୟାସ ଜାର ରଖିଥିବାରୁ ପରିଚାଳନା ତଥା କର୍ମଚାରୀଙ୍କ ନିଷ୍ଠାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଏହି ଅବସରରେ ନାଲକୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର ବିଗତ କିଛି ବର୍ଷରେ କମ୍ପାନିର ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ ଆଲୋଚନା କରି ନାଲକୋର ରପ୍ତାନୀଗତ ଆୟର ତଥ୍ୟ ପ୍ରଦାନ କରିଥିଲେ।

ଭାରତ ସରକାରଙ୍କ ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନୀ ନାଲକୋ ଏସିଆର ସର୍ବବୃହତ୍‍ ସମନ୍ୱିତ ବକ୍ସାଇଟ-ଆଲୁମିନା-ଆଲୁମିନିୟମ-ବିଜୁଳି କମ୍ପେ୍ଲକ୍ସ। ଦେଶର ବକ୍ସାଇଟ ଉତ୍ପାଦନରେ ନାଲ୍‍କୋର ଅବଦାନ ୩୨ ପ୍ରତିଶତ।

LEAVE A REPLY

Please enter your comment!
Please enter your name here