ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ୩୩୮ ରନରେ ଅଲଆଉଟ୍ ହୋଇଛି କଙ୍ଗାରୁ ଦଳ। ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗିଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ସହ ଦୁଇ ୱିକେଟ୍ ହରାଇ ୯୬ ରନ୍ କରିପାରିଛି। ଭାରତ ଏବେ ବି କଙ୍ଗାରୁ ଦଳଠାରୁ ୨୪୨ ରନ ପଛରେ ଥିବାରୁ ଏହି ମ୍ୟାଚ୍ ବେଶ ରୋଚକପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି।

ସିଡନୀରେ ଗୁରୁବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏଥିରେ ଗତକାଲି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ ଭାରତୀୟ ବୋଲରଙ୍କୁ ଧୁଆଁଧାର ପ୍ରହାର କରିଥିଲେ। ତାଙ୍କ ସହ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଲବୁଚେଞ୍ଜ ମଧ୍ୟ ୯୧ ରନର ମାରାଥନ ଇଂନିସ ଖେଳିଥିଲେ। ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୩୩୮ ରନ କରି ଅଲଆଉଟ୍ ହୋଇଯାଇଥିଲା।ଭାରତ ପକ୍ଷରୁ ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୪ଟି ୱିକେଟ୍ ନେଇଥିବାବେଳେ ସୈନୀ ଏବଂ ବୁମରା ଦୁଇଟି ଲେଖାଏଁ, ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ।

ଏହାପରେ ଟିମ୍ ଇଣ୍ଡିଆ ପାଇଁ ଇଂନିସ ଓପନ କରିଥିଲେ ରୋହିତ ଓ ଗିଲ୍ ଯୋଡ଼ି। ଦୁହେଁ ଭାରତ ପାଇଁ ଦମଦାର ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୭୦ ରନ୍ ଥିବାବେଳେ ହେଜେଲଉଡଙ୍କ ଏକ ଦମଦାର ବଲରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ଏହାପରେ ଗିଲ୍ ମଧ୍ୟ ଅର୍ଦ୍ଧଶତକ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ପୂଜାରା ଓ ଅଧିନାୟକ ରାହାଣେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବାବେଳେ ଅମ୍ପାୟାର ଦ୍ୱିତୀୟ ଦିନର ଖେଳ ସମାପ୍ତି ଘୋଷଣା କରିଛନ୍ତି। ଆଗକୁ ଆହୁରି ତିନି ଦିନ ବାକି ଥିବାରୁ ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆକଳନ କରିଛନ୍ତି।

Comment