ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ଓ ଚାଷୀ ଆନ୍ଦୋଳନକୁ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାର ବିଚାର କରିବ।

କୃଷି ଆଇନକୁ ନେଇ ଦେଖାଦେଇଥିବା ବିବାଦର ଅନ୍ତ କରିବାକୁ କୋର୍ଟ ଏକ ସମିତି ଗଠନ କରିବାକୁ ପରାମର୍ଶ ଦେଇପାରନ୍ତି । ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ସମିତି ଗଠନ ହେବ। ଚାଷୀ- କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଏହି ସମିତି ସମସ୍ତ ବିବାଦର ସମାଧାନ କରିବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।ଏହାପୂର୍ବୁର ସୋମବାର ଚାଷୀ ଆନ୍ଦୋଳନ ଓ କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ। ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ ନଚେତ୍ କୋର୍ଟ ଏହା ଉପରେ ରୋକ୍ ଲଗାଇବେ ବୋଲି ସୁପ୍ରିମକୋର୍ଟ ସିଧାସିଧା କହିଦେଇଥିଲେ। ଅନ୍ୟପଟେ ଚାଷୀ ଆନ୍ଦୋଳନରେ ମହିଳା ଓ ଶିଶୁମାନଙ୍କୁ କାହିଁକି ସାମିଲ କରାଯାଇଛି ସେନେଇ ମଧ୍ୟ ଚାଷୀଙ୍କପ୍ରଶ୍ନ କରାଯାଇଥିଲା। ଶେଷରେ ଏହି ନୂଆ ଆଇନକୁ ନେଇ ଆଲୋଚନା ନିହାତି ଦରକାର ବୋଲି କୋର୍ଟ କହିଥିଲେ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଦୀର୍ଘ ଦିନ ହେଲେ ଚାଷୀମାନେ ସିଙ୍ଘୁ ସୀମାରେ ଆନ୍ଦୋଳନ ଚଲାଇଛନ୍ତି। ଏହା ଭିତରେ କେନ୍ଦ୍ର ସରକାରଙ୍କ ସହ ଚାଷୀ ସଙ୍ଗଠନମାନଙ୍କର ୮ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନି। ଆସନ୍ତା ୧୫ ତାରିଖରେ ଚାଷୀ-ସରକାର ଭିତରେ ଆଗାମୀ ବୈଠକ ବସିବାକୁ ଅଛି। ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବହୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

Comment