ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଇ-ବଜେଟ୍ ଆଣିବେ କେନ୍ଦ୍ର ସରକାର।

ଏଥର ଛପା ହେବନି ବଜେଟ୍ ବହି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତ ବର୍ଷରୁ ଇ-ବଜେଟ୍ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ, ଭାରତୀୟ ସଂସଦ ଇତିହାସରେ ପ୍ରଥମ ଥର ଅର୍ଥମନ୍ତ୍ରୀ ବଜେଟ୍ ବହି ବିନା ଡିଜିଟାଲ୍ ମାଧ୍ୟମ ଜରିଆରେ ବଜେଟ୍ ଉପସ୍ଥାପନ କରିବେ। ଏନେଇ କେନ୍ଦ୍ର ସରକାର ଦୁଇ ସଦନଠାରୁ ଅନୁମତି ହାସଲ କରିସାରିଛନ୍ତି।

୧୯୪୭ ମସିହା ନଭେମ୍ବର ୨୬ରେ ଦେଶରେ ପ୍ରଥମ କରି ବଜେଟ୍ ଉପସ୍ଥାପନ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ପ୍ରତିବର୍ଷ କେନ୍ଦ୍ର ସରକାର ବଜେଟ୍ ବହି ପ୍ରିଣ୍ଟ କରି ଏହାକୁ ସଂସଦରେ ଉପସ୍ଥାପନ କରିଥାନ୍ତି। ଚଳିତ ବର୍ଷ କିନ୍ତୁ ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି।

କୋଭିଡ୍ ଦୃଷ୍ଟିରୁ ଏତେ ସଂଖ୍ୟକ ବଜେଟ୍ ବହି ପ୍ରିଣ୍ଟ କରିବା ମୁସ୍କିଲ ହୋଇପାରେ। ଏହା ଅତ୍ୟନ୍ତ ଗୋପନୀୟ ବ୍ୟାପାର ହୋଇଥିବାରୁ କର୍ମଚାରୀମାନଙ୍କୁ ବହି ପ୍ରିଣ୍ଟ କରିବାରେ ଅନେକ ଅସୁବିଧା ଭୋଗିବାକୁ ପଡ଼ିପାରେ। ଏହାକୁ ଆଖି ଆଗରେ ରଖି ଏଥର ଇ-ବଜେଟ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବଜେଟ୍ ଅଧିବେଶନରେ ମଧ୍ୟ ସାଂସଦମାନେ ଡିଜିଟାଲ ମାଧ୍ୟମରେ ଏହାର ସୂଚନା ପାଇବେ ବୋଲି କୁହାଯାଇଛି।

ହିମାଚଳ ପ୍ରଦେଶ ଆଣିଥିଲା ପ୍ରଥମ ଇ-ବଜେଟ୍

ଦେଶର ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ ୨୦୧୫ ମସିହାରେ ଇ-ବଜେଟ୍ ଆରମ୍ଭ କରିଥଇଲା। କେବଳ ରେକର୍ଡ ରଖିବାକୁ ୧୦ଟି ବଜେଟ୍ ବହି ଛପାଯାଇଥିଲା। ଏହାବାଦ୍ ସବୁ ବିଧାୟକମାନଙ୍କୁ ଡିଜିଟାଲ୍ ମାଧ୍ୟମ ଜରିଆରେ ଇ-ବଜେଟ୍ ବିଷୟରେ ସୂଚନା ଦିଆଯାଇଥିଲା। ସେବେଠାରୁ ସେଠାରେ ଇ-ବଜେଟ୍ ଉପସ୍ଥାପିତ ହୋଇଆସୁଛି।ଗତ ବର୍ଷ ଓଡ଼ିଶାରେ ଉପସ୍ଥାପିତ ହୋଇଥିଲା

ଗତ ବର୍ଷ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ କରି ରାଜ୍ୟରେ ଇ-ବଜେଟ୍ ଉପସ୍ଥାପିତ କରିଥିଲେ। ବଜେଟ୍ ବହି ବିନା ଏହି ବିଜେଟ୍ ଅଧିବେଶନ ବସିଥିଲା। ବିଧାୟକମାନେ ମଧ୍ୟ ଆଇ-ପ୍ୟାଡ୍ ଜରିଆରେ ଏହାର ସମସ୍ତ ତଥ୍ୟ ଜାଣିପାରିଥିଲେ। ଓଡ଼ିଶାରେ ବଜେଟ୍ ବହି ଛପା ଯିବ ପାଇଁ ପ୍ରତିବର୍ଷ ୭୫ ଲକ୍ଷ ପୃଷ୍ଠା ଛପାଯାଉଥିଲା। ଏଥିପାଇଁ ପ୍ରାୟ ହଜାରେ ଗଛ କଟାଯାଉଥିଲା; ଯାହାକୁ ଏବେ ରୋକାଯାଇପାରିଛି ବୋଲି ଜଣାପଡ଼ିଛି।

Comment