ଓଡ଼ିଶାଲାଇଭ୍ ବ୍ୟୁରୋ

  • ବ୍ରିସବେନ୍‌ ଟେଷ୍ଟରେ ଭାରତର ଐତିହାସିକ ବିଜୟ
  • ୩ ଓ୍ଵିକେଟରେ ହାରିଲା ଅଷ୍ଟ୍ରେଲିଆ
  • ୨-୧ରେ ସିରିଜ କବ୍‌ଜା କଲା ଟିମ୍ ଇଣ୍ଡିଆ
  • ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟରେ ହରାଇ ୨-୧ରେ ସିରିଜ୍ ହାତେଇଛି ଭାରତ। ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ବାଜିମାତ୍ ଦେବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ। ପ୍ରଥମେ ଶୁଭମନ ଗିଲ୍, ପରେ ଚେତେଶ୍ଵର ପୂଜାରା ଏବଂ ଶେଷରେ ରିଷବ ପନ୍ତଙ୍କ ଜବରଦସ୍ତ ବିସ୍ଫୋରଣ ବଳରେ ୩୨୮ ରନ୍‌ର ଟାର୍ଗେଟକୁ ଖୁବ ସହଜରେ ହାସଲ କରିଛି ଭାରତ।ଗାବ୍‌ବା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବିଧ୍ଵଂସୀ ରିଷବ ପନ୍ତ ୧୩୮ଟି ବଲରେ ୯ ଚୌକା ଓ ୧ ଛକା ସହ ଅପରାଜିତ ୮୯ ରନ୍‌ର ମାରାଥନ୍ ଇନିଂସ୍ ଖେଳିଥିବା ବେଳେ ଶୁଭମନ ଗିଲ୍ ୧୪୬ଟି ବଲରେ ୯୧ ଏବଂ ଚେତେଶ୍ଵର ପୂଜାରା ୫୬ ରନ କରିଛନ୍ତି। ଏହି ତିନି ଖେଳାଳିଙ୍କ ଉପଯୋଗୀ ଇଂନିସ ପାଇଁ ଭାରତ ମ୍ୟାଚଟିକୁ ୩ ୱିକେଟରେ ଜିତି ନେଇଛି।ରନ୍‌ମେସିନ କ୍ୟାପ୍ଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵରେ ଯୁବବାହିନୀର ଖେଳରେ ଭାରତ ଏହି ସିରିଜ୍ ଜିତି ଏକ ଐତିହାସିକ ରେକର୍ଡ ତିଆରି କରିଛି।

ଟିମ୍ ଇଣ୍ଡିଆର ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଟିମ୍ ଇଣ୍ଡିଆର ଏହି ଗେମ୍ ସ୍ପିରିଟ ପାଇଁ ପ୍ରଧାନମନ୍ତ୍ରୀ ଦଳକୁ ପ୍ରଶଂସା କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ଭାରତର ଏହି ବିଜୟ ପରେ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍ ଘୋଷଣା ହୋଇଛି।

Comment