ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶରୀରକୁ ଉପଯୁକ୍ତ ପୋଷଣ ଯୋଗାଇଥାଏ ସ୍ପିରୁଲିନା
  • ସ୍ପିରୁଲିନା ହେଉଛି ଏକ ପ୍ରକାର ନୀଳ ଶୈବାଳ
  • ସ୍ପିରୁଲିନାରେ ଅଛି ୪୫ ପ୍ରକାର ଭିଟାମିନ, ମିନେରାଲ୍ସ
  • ପିଲାଙ୍କ ଭିତରେ ଅପପୁଷ୍ଟି ଦୂର କରିବ ସ୍ପିରୁଲିନା

(ଶୁଭଶ୍ରୀ ନାୟକ): ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସମସ୍ତଙ୍କ ଦାୟିତ୍ୱ; ଆଉ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସଠିକ ପୋଷଣ, ଯାହା ଉଭୟ ଶାରୀରିକ ଓ ମାନସିକ ବିକାଶ କରିବାରେ ସାହାଯ୍ୟ କରେ। ତେବେ ଶରୀରକୁ ଉପଯୁକ୍ତ ପୋଷଣ ଦେବାରେ ବା ଶରୀରରେ ପୁଷ୍ଟିର ଅଭାବକୁ ପରିପୂର୍ଣ୍ଣ କରିବାରେ ସ୍ପିରୁଲିନା ହେଉଛି ଏକ ଚମତ୍କାର ଖାଦ୍ୟ। ବିଶେଷଜ୍ଞଙ୍କ ମତରେ ଏହି ସ୍ପିରୁଲିନାରେ ୪୫ ପ୍ରକାର ଭିଟାମିନ, ମିନେରାଲ୍ସ ରହିଛି। ଏମିତିକି ଏହି ସ୍ପିରୁଲିନାକୁ ‘ପୋଷଣର ପାଓ୍ୱାର ହାଉସ୍‌’ ବୋଲି ମଧ୍ୟ କୁହାଯାଉଛି।

ସ୍ପିରୁଲିନା କ’ଣ ଓ ଏହା କିପରି ଶରୀରକୁ ପୋଷଣ ଯୋଗାଉଛି?

ସ୍ପିରୁଲିନା ହେଉଛି ମଧୁର ଜଳରେ ସୃଷ୍ଟି ହେଉଥିବା ଏକ ଅଣ ବିଷାକ୍ତ ନୀଳ ଶୈବାଳ। ଏହା ପାଣିରେ ପଡ଼ୁଥିବା ସୂର୍ଯ୍ୟକିରଣରୁ ସିଧାସଳଖ ଆହାର ଗ୍ରହଣ କରି ବଢ଼ିଥାଏ। ଏହା ଦେଖିବାକୁ ସ୍ପ୍ରିଙ୍ଗ୍‌ ଆକାର ହୋଇଥିବାରୁ ଏହାକୁ ସ୍ପିରୁଲିନା ବୋଲି କୁହାଯାଉଛି। ଏଥିରେ ପୋଷଣଯୁକ୍ତ ପଦାର୍ଥ ଭରପୂର ରହିଛି। ଏହାକୁ ମଣିଷ ବ୍ୟବହାର କରିବାରେ କୌଣସି ବିପଦ ନାହିଁ। ଏହା ପୋଷଣଜନିତ ସମସ୍ୟା ଦୂର କରୁଥିବାରୁ ଏହାକୁ ସବୁ ବୟସର ଲୋକ ଖାଇପାରିବେ। ଦେଶ ବିଦେଶରେ ବହୁ ଗବେଷଣା ପରେ ସ୍ପିରୁଲିନାକୁ ଖାଦ୍ୟରେ ସାମିଲ କରିବାକୁ ଅନୁମତି ମିଳିଛି।

ସ୍ପିରୁଲିନା କେମିତି କାମ କରେ?

  • ସ୍ପିରୁଲିନା ଦୃଷ୍ଟିଶକ୍ତି ବଢ଼ାଏ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
  • ହଜମ ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ସହାୟକ ହୁଏ।
  • ରକ୍ତ ବିଶୋଧନ କରେ।
  • ବୀଜାଣୁ ନାଶକ।
  • ମସ୍ତିଷ୍କ କ୍ରିୟାଶୀଳ କରେ।
  • ସ୍ୱାସ୍ଥ୍ୟର ଉନ୍ନତି କରେ।
  • ରକ୍ତ ହୀନତା ଦୂରକରେ।
  • ପ୍ରଦାହ ପ୍ରତିରୋଧ କରେ।

ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବୟସ ଯାହା ହେଉନା କାହିଁକି ସମସ୍ତଙ୍କ ପାଇଁ ପୋଷଣ ଗୁରୁତ୍ୱପୂର୍ଣ୍ଣ। ତେଣୁ ଉତ୍ତମ ଖାଦ୍ୟ ଆମ ସୁସ୍ଥ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତଙ୍କୁ ଦିନକୁ ୪୬ ପ୍ରକାର ଭିଟାମିନ, ମିନେରାଲ୍ସ ଦରକାର ହୋଇଥାଏ। ଏହା ନହେଲେ ପୋଷଣ ବା ପୁଷ୍ଟିସାର ଅଭାବ ହେତୁ ଅନେକ ପ୍ରକାରର ରୋଗ ଓ ସଂକ୍ରମଣ ଶିକାର ହୋଇଥାଆନ୍ତି।

ଏହିସବୁ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ହେଲେ ପ୍ରତିଦିନ ଖାଦ୍ୟରେ ସୁଷମ ଖାଦ୍ୟ ସାମିଲ କରିବା ଦରକାର। କିନ୍ତୁ ବର୍ତ୍ତମାନର ଜୀବନଶୈଳୀ ହେଉ ବା ଅନ୍ୟ କୌଣସି କାରଣ ଯୋଗୁଁ ଆମେ ଖାଦ୍ୟରେ ସୁଷମ ଖାଦ୍ୟ ସାମିଲ କରିପାରୁନାହାଁନ୍ତି। ଆମେ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ ଶରୀରକୁ ସେତିକି ପରିମାଣର ଭିଟାମିନ, ମିନେରାଲ୍ସ ମିଳିପାରୁନାହିଁ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ପିରୁଲିନାରେ ୪୫ ପ୍ରକାର ଭିଟାମିନ, ମିନେରାଲ୍ସ ରହିଛି, ଯାହା ଶରୀରକୁ ଅନ୍ୟ ଖାଦ୍ୟ ତୁଳନାରେ ଅଧିକ ପୋଷଣ ଯୋଗାଇଥାଏ। ଏକଥା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ମଧ୍ୟ ସ୍ୱୀକାର କରିଛି।

ସ୍ପିରୁଲିନାରେ ୧୩ ପ୍ରକାର ଭିଟାମନ, ୧୩ ପ୍ରକାର ମିନେରାଲ୍ସ, ୪ ପ୍ରକାର ନାଚୁରାଲ ଫାଇଟୋନ୍ୟୁଟ୍ରିଏଣ୍ଟସ୍, ୮ପ୍ରକାର ନାଚୁରାଲ କାରୋଟିନଏଡ୍, ୮ ପ୍ରକାର ଆମିନୋ ଏସିଡ ରହିଛି।

ଶାକାହାରୀଙ୍କ ପାଇଁ ବେଶୀ ଲାଭଦାୟକ

ସ୍ପିରୁଲିନା ଶାକାହାରୀ ଲୋକଙ୍କ ପାଇଁ ଅଧିକ ଲାଭଦାୟକ। ସେମାନେ ଆମିଷ ଖାଉନଥିବାରୁ ସେଥିରେ ଥିବା ପୋଷକ ତତ୍ତ୍ୱ ତାଙ୍କ ଶରୀରକୁ ମିଳିପାରେନି। ଯଦି ସେମାନେ ସ୍ପିରୁଲିନା ଖାଆନ୍ତି ତେବେ ଏହା ଶରୀରରେ ପୁଷ୍ଟିର ସେହି ଅଭାବକୁ ପୂରଣ କରିଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ରହିଥିବାରୁ ଏହା କ୍ୟାନସର ଭଳି ମାରାତ୍ମକ ରୋଗକୁ ରକ୍ଷା କରିପାରେ। ସେହିପରି ସ୍ପିରୁଲିନା ଲିଭର, କିଡନୀ, ହାର୍ଟ ଓ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ।

ସୁନ୍ଦରଗଡ଼ରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନା

ସ୍ପିରୁଲିନା ବ୍ୟବହାର କ୍ଷେତ୍ରରେ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ। ସେହିପରି ସ୍ପିରୁଲିନା ବ୍ୟବହାର କରିବାରେ ରାଜ୍ୟରେ ସୁନ୍ଦରଗଡ଼ ହେଉଛି ପ୍ରଥମ ଜିଲ୍ଲା। ସୁନ୍ଦରଗଡ଼ର ଲେଫ୍ରିପଡ଼ାରେ ପାଇଲଟ ପ୍ରକଳ୍ପ ଭାବେ  ଏବେ ଅଙ୍ଗନବାଡ଼ି କେନ୍ଦ୍ର ସାହାଯ୍ୟରେ ସ୍ପିରୁଲିନା ବଣ୍ଟନ କରାଯାଉଛି। ୭ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ପିରୁଲିନାଯୁକ୍ତ ଚିନି ଓ ୩ରୁ ୬ ବର୍ଷ ବୟସର ପିଲାଙ୍କୁ ସ୍ପିରୁଲିନା ଚିକି ଖାଇବାକୁ ଦିଆଯାଉଛି। ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଏହି ସ୍ପିରୁଲିନା ଚିକି ଓ ଚିନି ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି।

ବାଦାମ ସହ ଗୁଡ଼ କିମ୍ବା ଚିନି ସାଙ୍ଗରେ ଆବଶ୍ୟକ ପରିମାଣର ସ୍ପିରୁଲିନା ପାଉଡର ମିଶାଇ ସ୍ପିରୁଲିନା ଚିକି ତିଆରି କରାଯାଉଛି। ସେହିପରି ଚିନିରେ ସ୍ପିରୁଲିନା ମିଶାଇ ସ୍ପିରୁଲିନାଯୁକ୍ତ ଚିନି ପ୍ରସ୍ତୁତ କରାଯାଉଛି।

‘‘ମା’ମାନଙ୍କ ସହିତ ଆଲୋଚନା କରିବା ପରେ ଜାଣିବାକୁ ପାଇଲୁ ଯେ, ଯେଉଁ ପିଲା ସ୍ପିରୁଲିନା ଖାଇବାକୁ ଆଗ୍ରହ ପ୍ରକାଶ କରୁନଥିଲେ, ସେମାନେ ଏବେ ସ୍ପିରୁଲିନା ଖାଇବାକୁ ଭଲ ପାଉଛନ୍ତି। ଏହା ଖାଇବା ପରେ ସେମାନଙ୍କର ଓଜନ ବଢ଼ୁଛି’’, କହିଛନ୍ତି ସୁନ୍ଦରଗଡ଼ ଡିଏସ୍‌ଡବ୍ଲ୍ୟୁଓ ପ୍ରତିଭା ଦାସ।

‘‘ସ୍ପିରୁଲିନା ଦେବା ଦ୍ୱାରା ପିଲାଙ୍କର ଯେଉଁ ପୁଷ୍ଟିଗତ ସମସ୍ୟା ଥିଲା ତାକୁ ଦୂର କରିହେବ ଓ ଶିଶୁମାନଙ୍କ ଅପପୁଷ୍ଟିକୁ ରୋକି ହେବ’’, କହିଛନ୍ତି ଲେଫ୍ରିପଡ଼ା ସିଡିପିଓ କିରଣବାଳା ଷଡ଼ଙ୍ଗୀ।

‘‘ମୋ ଝିଅ ସ୍ପିରୁଲିନା ଖାଇବା ପରେ ତା’ର ମାନସିକ ସ୍ତରରେ ବିକାଶ ହୋଇଥିବା ମୁଁ ଅନୁଭବ କରିପାରୁଛି। ତା’ର ଓଜନ ମଧ୍ୟ ବଢ଼ିଛି। ପ୍ରଥମେ ପ୍ରଥମେ ଝିଅ ସ୍ପିରୁଲିନା ଖାଇବାକୁ ଅମଙ୍ଗ ହେଉଥିଲା। କିନ୍ତୁ ଧୀରେ ଧୀରେ ଏବେ ସେ ସ୍ପିରୁଲିନା ଖାଇବାକୁ ଭଲ ପାଉଛି। ସବୁଠୁ ବଡ଼ କଥା ହେଉଛି ଯେ, ସ୍ପିରୁଲିନା ଖାଇବା ପରେ ସେ ଅନ୍ୟ ଖାଦ୍ୟ ଖାଇବାରେ ଆଗ୍ରହ ଦେଖାଉଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାର ଜଣେ ମହିଳା ରଜନୀ ନାୟକ।

‘‘ପିଲାମାନେ ସ୍ପିରୁଲିନା ଖାଇବା ପରଠାରୁ ପ୍ରତିମାସରେ ସେମାନଙ୍କର ୨୦୦ କିମ୍ବା ୩୦୦ ଗ୍ରାମ ଓଜନ ବୃଦ୍ଧି ଘଟୁଛି। ପିଲାଙ୍କ ଶରୀରରେ ହିମୋଗ୍ଲୋବିନ ମଧ୍ୟ ବଢ଼ିଥିବା ଜଣାପଡ଼ିଛି’’, କହିଛନ୍ତି ଲେଫ୍ରିପଡ଼ା ବ୍ଲକର ଜଣେ ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ମାଝି।

Comment