ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡର ଡ୍ରିମଗାର୍ଲ ପ୍ରିୟା ଚୌଧୁରୀ। କିଛି ଦିନର ବିରତି ପରେ ନୂଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ଜରିଆରେ ପୁଣି ପରଦାରେ ନଜର ଆସିବେ ପ୍ରିୟା। ଓଲିଉଡଠାରୁ ଦୂରରେ ରହିବା ପରେ ଏହା ତାଙ୍କର ଏକ ନୂଆ ଆରମ୍ଭ। ଏନେଇ ପ୍ରିୟା ନିଜର ସୋସିଆଲ ମିଡିଆ ପେଜରେ ‘ନିୟୁ ଷ୍ଟାର୍ଟ’ ଟ୍ୟାଗ ଦେଇ ଏକ ଫଟୋ ସେଆର କରିଛନ୍ତି।

ଏବେ ଏହି ଫିଲ୍ମଟିର ସୁଟିଂ ଚାଲିଥିବା ବେଳେ ଅଭିନେତ୍ରୀ ପ୍ରିୟା ଏଥିରେ ଏକ ଦମ୍‌ଦାର ଭୂମିକାରେ ନଜର ଆସିବେ। ନିର୍ଦ୍ଦେଶକ ଦିଲୀପ ପଣ୍ଡା ଏହି ସିନେମାର ନିର୍ଦ୍ଦେଶକ ରହିଥିବା ବେଳେ ଅଭିନେତା ଅମ୍ଳାନ ଏବଂ ରିୟା ଏହି ପିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟ ଭୂମିକାରେ ରହିଛନ୍ତି ବବି ମିଶ୍ର ଏବଂ ରାଗିଣୀ ପ୍ରମୁଖ କଳାକାର। ଜାନୁଆରି ୨୫ ତାରିଖରେ ଏହି ସିନେମାର ମହୁରତ ହୋଇଛି। ବ୍ଲୁ ଆଇଜ୍ ଏଣ୍ଟରଟେନମେଣ୍ଟର ପ୍ରଥମ ଅବଦାନ ଭାବେ ଏହି ସିନେମା ଖୁବଶୀଘ୍ର ବଡ଼ ପରଦାକୁ ଆସିବ।

୨୦୦୮ ମସିହାରେ ଡ୍ରିମ୍‌ଗାର୍ଲ ସିନେମାରେ ଅଭିନୟ କରି ପ୍ରିୟା ଓଲିଉଡ ଦୁନିଆରେ ପାଦ ଥାପିଥିଲେ। ଏହାପରେ ନାୟକ ଅନୁଭବଙ୍କ ନାୟିକା ଭାବରେ ଫିଲ୍ମ ‘ଅଭିମନ୍ୟୁ’ରେ ତାଙ୍କୁ ଜବରଦସ୍ତ ସଫଳତା ମିଳିଥିଲା। ଏହି ଫିଲ୍ମଟି ସୁପର୍‌ଡୁପର୍‌ ହିଟ୍‌ ହୋଇଥିଲା।ଏହା ପଛକୁ ପଛ ‘ଆଲୋ ମୋର କଣ୍ଢେଇ’, ‘ଦିଲ୍‌ ତତେ ଦେଇଛି’, ‘ଗୁଡ୍‌ବୟ’, ‘ତୋ ବାଟ ଚାହିଁଛି ରାତି ସାରା’, ‘ମିତ ବସୁଛି ମୁଁ ଭୂତ ସାଥୀରେ’, ‘ହିରୋ’, ‘ରୁମ୍‌କୁ ଝୁମାନା’ ପ୍ରଭୃତି ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ବଡ଼ ପରଦାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ପ୍ରିୟା। କିନ୍ତୁ ବିବାହ ପରେ ତାଙ୍କୁ ଆଉ ବଡ଼ ପରଦାରେ ଦେଖିବାକୁ ମିଳି ନଥିଲା। କିଛିଦିନର ବିରତି ପରେ ଏବେ ପୁଣି ଥରେ ପରଦାକୁ ଫେରିଥିବାରୁ ତାଙ୍କ ଦର୍ଶକ ମହଲରେ ବେଶ୍‌ ଉତ୍ସାହ ଦେଖା ଦେଇଛି।

Comment