ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ‌ ଓ ଆସାମ ଗସ୍ତ କରିବେ। ପ୍ରଥମେ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲିଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ରାଜ୍ୟ  ରାଜପଥ ଏବଂ ବୃହତ ଜିଲ୍ଲା ସଡ଼କ କାର୍ଯ୍ୟକ୍ରମ ପାଇଁ ‘ଆସୋମ ମାଲା’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହାପରେ ସେ ପଶ୍ଚିମବଙ୍ଗର ହଳଦିଆଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବା ସହିତ ଅନ୍ୟ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। କିଛି ଦିନ ଭିତରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଦୁଇ ସପ୍ତାହ ପରେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ‌ ଯାଉଛନ୍ତି। ତେଣୁ ନିର୍ବାଚନ ପାଇଁ ପଶ୍ଚିମବଙ୍ଗକୁ ଫୋକସ୍‌ ରଖିଥିବା ଚର୍ଚ୍ଚା ହେଉଛି।

ଏହାପୂର୍ବରୁ ଜାନୁଆରି ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ।

ପଶ୍ଚିମବଙ୍ଗରେ ମୋଦୀଙ୍କ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଥିବା ଏଲପିଜି ରପ୍ତାନି ଟର୍ମିନାଲକୁ ଲୋକାର୍ପଣ କରିବେ। ଏହା  ୧୧୦୦ କୋଟି  ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହା ପଶ୍ଚିମବଙ୍ଗ ତଥା ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ଥିବା ଅନ୍ୟ ରାଜ୍ୟରେ ବୃଦ୍ଧି ପାଉଥିବା ଏଲପିଜି  ଚାହିଦା ମେଣ୍ଟାଇବାରେ  ସହାୟକ ହୋଇପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଇଣ୍ଡିଆନ ଅଏଲ କର୍ପୋରେସନର ହଳଦିଆ ତୈଳ ବିଶୋଧନାଗାରର ଦ୍ୱିତୀୟ କାଟାଲିଟିକ ଆଇସୋଡଓ୍ୱାକ୍ସିଂ ୟୁନିଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ  ହଳଦିଆର  ରାଣୀଛକ ଠାରେ ୪୧ ନମ୍ବର ଜାତୀୟ ରାଜପଥର ୪ ଲେନ୍ ବିଶିଷ୍ଟ ଆରଓବି ତଥା ଫ୍ଲାଏଓଭରକୁ ଲୋକାର୍ପଣ କରିବେ।

ଏହି ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବା ଫଳରେ କୋଲାଘାଟରୁ ହଳଦିଆ ଡକ୍ କମ୍ପ୍ଲେକ୍ସ  ଏବଂ ଆଖାପାଖ  ଅଞ୍ଚଳରେ  ବାଧାମୁକ୍ତ  ଯାନବାହାନ ଗମନାଗମନ ସୁଗମ ହୋଇପାରିବ।

ଆସାମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ରାଜ୍ୟରେ ରାଜ୍ୟ ରାଜପଥ ଏବଂ ପ୍ରମୁଖ  ଜିଲ୍ଲା ସଡ଼କ ଭିତ୍ତିଭୂମିର  ଉନ୍ନତି  ପାଇଁ  ପ୍ରଧାନମନ୍ତ୍ରୀ ‘ଆସୋମ ମାଲା’ ଯୋଜନାର  ଶୁଭାରମ୍ଭ କରିବେ। ଏହାସହିତ ପ୍ରଧାନମନ୍ତ୍ରୀ ଦୁଇଟି  ମେଡିକାଲ  କଲେଜ  ଓ  ହସ୍ପିଟାଲ  ନିର୍ମାଣ ପାଇଁ  ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି  ଦୁଇଟି ପ୍ରକଳ୍ପ ୧୧୦୦ କୋଟି  ଟଙ୍କା  ବିନିୟମରେ  ବିଶ୍ୱନାଥ  ଏବଂ ଚାରାଇଦେଓଠାରେ ପ୍ରତିଷ୍ଠା କରାଯିବ।

Comment