ଭାସ୍କର ପରିଚ୍ଛା  

ଓଡ଼ିଶାକୁ ଲାଗି ରହିଥିବା ରାଜ୍ୟଗୁଡ଼ିକ ପକ୍ଷରୁ ଯେଉଁଭଳି ନିରନ୍ତର ସୀମା ବିବାଦ ସୃଷ୍ଟି କରାଯାଉଛି ତାହା ଅତି ଉଦବେଗଜନକ। ଏହା ଓଡ଼ିଶାର ସମ୍ପୃକ୍ତ ରାଜ୍ୟ ସହ ଥିବା ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏହାର ସମାଧାନ ନହେଲ ଆଗକୁ ବ୍ୟାପକ ସମସ୍ୟା ସୃଷ୍ଟି ହେବ।

ବହୁ ବର୍ଷ ଧରି କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଭିତରେ ବିବାଦ ଚାଲି ଆସିଛି ଏବଂ ଏହା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛି। ବିଭିନ୍ନ ସମୟରେ ଦାଦାଗିରି ଦେଖାଇ ଆସିଛି ଆନ୍ଧ୍ର ପ୍ରଦେଶ। ଠିକ ସେହିଭଳି ପଶ୍ଚିମବଙ୍ଗ-ଓଡିଶା ସୀମାରେ ମଧ୍ୟ ସୀମା ବିବାଦ ଚାଲିଛି। ଓଡ଼ିଶା ସୀମା ଭିତରେ ଥିବା ଉଦୟପୁର ବେଳାଭୂମିରେ ବେଆଇନ ପାଚେରୀ ତିଆରି କରୁଛି ପଶ୍ଚିମବଙ୍ଗ ଜଳ ସଂପଦ ବିଭାଗ। ଏହାକୁ ବିରୋଧ କଲେ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ଭୟଭୀତ କରାଉଛି ପଶ୍ଚିମବଙ୍ଗ ପ୍ରଶାସନ।

ଉଦୟପୁର ବେଳାଭୂମିରେ ବଳପୂର୍ବକ ପାଚେରୀ ନିର୍ମାଣ ହେଉଥିବା ଖବର ସାମ୍ନାକୁ ଆସିବାପରେ ଭୋଗରାଇ ଅତିରିକ୍ତ ତହସିଲଦାର, କଖଡ଼ା ଆରଆଇ, ତାଳସାରି ସାମୁଦ୍ରିକ ଥାନା ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ପଶ୍ଚିମବଙ୍ଗ ଜଳ ସଂପଦ ବିଭାଗର କୌଣସି ଅଧିକାରୀ ଆସିନଥିଲେ। ଶେଷରେ ସ୍ଥାନୀୟ ତହସିଲଦାର ନିର୍ମାଣ କାମ ବନ୍ଦ କରିବା ପାଇଁ ତାଳସାରି ଥାନା ଅଧିକାରୀଙ୍କୁ କହିବା ସହ ଜିଲ୍ଲାପାଳଙ୍କୁ ଘଟଣା ସଂପର୍କରେ ଅବଗତ କରାଇଛନ୍ତି।

ପଶ୍ଚିମବଙ୍ଗ ସୀମାରେ ବାରମ୍ବାର ବିବାଦୀୟ କାର୍ଯ୍ୟ କରୁଥିବା ଓଡ଼ିଶା ପକ୍ଷରୁ ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟର ବିଷୟ ପଶ୍ଚିମବଙ୍ଗ ସରକାର ଏହି ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହାନ୍ତି। ୨୦୧୮ରେ ଉଦୟପୁର ରାସ୍ତାରେ ଏକ ଫଳକ ଲଗାଇ ପ୍ରଥମେ ବିବାଦ ଘେରରୁ ଆସିଥିଲା ପଶ୍ଚିମବଙ୍ଗ ସରକାର।

୨୦୨୦ ମସିହାରେ ବାଲେଶ୍ଵରର ସାହାବଜୀପୁର ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ଅଧିକାର କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା ପଡ଼ୋଶୀ ରାଜ୍ୟ। ୨୦୧୫ରେ ଉଦୟପୁରରେ ଓଡ଼ିଶା ପକ୍ଷରୁ ଥାନା ଓ ଶୌଚାଳୟ ନିର୍ମାଣକୁ ବିରୋଧ କରିଥିଲା ପଶ୍ଚିମବଙ୍ଗ। ବାରମ୍ବାର ପଶ୍ଚିମବଙ୍ଗ ସରକାର ଓଡ଼ିଶା ମାଟିରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିବା ସହ ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଘଟଣା ନିନ୍ଦନୀୟ।

ଅନ୍ୟପଟେ କିଛି ମାସ ତଳେ କୋଟିଆରେ ସିଲ କରାଯାଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଖୋଲି ପିଲାଙ୍କୁ ପାଠ ପଢ଼ାଇବା ସହ ଅଣ୍ଡା ବାଣ୍ଟିଥିଲେ ଆନ୍ଧ୍ର ସରକାରଙ୍କ ଅଧିକାରୀ। ଖାଲି ସେତିକି ନୁହେଁ, ଅଙ୍ଗନାବାଡ଼ି କେନ୍ଦ୍ର ସିଲ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଧମକ ଦେଇଥିଲେ ଆନ୍ଧ୍ର ସରକାରଙ୍କ ଜଣେ ମନ୍ତ୍ରୀ।

ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡକ୍ଟର ଆପାଲା ରାଜୁ ଶତାଧିକ ଲୋକଙ୍କୁ ନେଇ ବୈଠକ କରିବା ସହ ଆନ୍ଧ୍ରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପପର ସମୀକ୍ଷା ବି କରିଥିଲେ। ଓଡ଼ିଶାର କୌଣସି ଅଧିକାରୀଙ୍କ ଦେଖାନଥିବା ବେଳେ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଓ ଜନପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଆନ୍ଧ୍ର ପୋଲିସ।

ଓଡ଼ିଶା ମାଟିରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ବିବାଦୀୟ ପଦକ୍ଷେପକୁ ସ୍ଥାନୀୟ ସ୍ତରରେ ପ୍ରତିରୋଧ କରାଯିବାର ଆବଶ୍ୟକତା ରହିଛି। ତା’ଛଡ଼ା ସରକାରୀ ସ୍ତରରେ ଏହି ସବୁ ସୀମା ବିବାଦର ସ୍ଥାୟୀ ସମାଧାନ ବିଷୟ ଚିନ୍ତା କରିବା ଦରକାର।

ପଡ଼ୋଶୀ ସରକାରଙ୍କୁ ଟକ୍କର ଦେବାରେ ଓଡ଼ିଶା ସରକାରଙ୍କ ଦୁର୍ବଳତା ଏବଂ ସ୍ଥାନୀୟ ପ୍ରଶାସନ ଏହିସବୁ ଜବର ଦଖଲ ପ୍ରତି ସଜାଗ ନରହିବା ଯୋଗୁଁ ହିଁ ଏହିଭଳି ଘଟଣା ବାରମ୍ବାର ଘଟୁଛି। ପଡ଼ୋଶୀ ରାଜ୍ୟର ମନମାନିକୁ ରାଜନୈତିକ ସ୍ତରରେ ମୁକାବିଲା କରିବାକୁ ହେବ। ସବୁ କଥା ଅଫିସରମାନଙ୍କ ଉପରେ ଛାଡ଼ିଦେବା ଠିକ୍ ନୁହେଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #Odisha #BorderProblem #KotiaIssue #AndhraPradesh #WestBengal

Comment