ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ବ୍ରହ୍ମେଶ୍ଵର ମନ୍ଦିରରୁ କେନ୍ଦ୍ର ପ୍ରସ୍ତାବିତ ବାଇ-ଲ’ ହଟିବା ପରେ ଶ୍ରେୟ ନେବାକୁ ରାଜନୀତି ଆରମ୍ଭ କରିଛନ୍ତି ବିଜେଡି, ବିଜେପି।

ବିଭିନ୍ନ ମହଲରେ ଦାବି ହେବା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’ ବା ଉପ ଅଧିନିୟମକୁ କେନ୍ଦ୍ର ସରକାର ସୋମବାର ପ୍ରତ୍ୟାହାର କରିଛନ୍ତି। ଆଇନ ଲାଗୁ ହେବା ପୂର୍ବରୁ ହିଁ ଏହାକୁ ପ୍ରତ୍ୟାହାର କରାଯାଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିର ଶ୍ରେୟ କାହାକୁ ଯିବ। କାହା ଚାପରେ ସରକାର ଆଇନକୁ ପ୍ରତ୍ୟାହାର କରିଛନ୍ତି। ତାହାକୁ ପ୍ରମାଣ କରିବା ପାଇଁ ଏବେ ବିଜେଡି-ବିଜେପି ମଧ୍ୟରେ ଟ୍ଵିଟର ରାଜନୀତି ଆରମ୍ଭ ହୋଇଯାଇଛି।

ଆଇନ ପ୍ରତ୍ୟାହାର ହେବାର ଶ୍ରେୟ ବିଜେପି ଖାତାକୁ ଯିବ। ଏପରି ଇଙ୍ଗିତ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଟ୍ଵିଟ୍ କରିଛନ୍ତି। ଟ୍ଵିଟ୍‌ରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଭେଟି ବିଜେପି ସାଂସଦମାନେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର ପାଇଁ ଆଲୋଚନା କରିଥିଲେ। ଏହାପରେ ମନ୍ତ୍ରୀ ଏହାକୁ ପ୍ରତ୍ୟାହାର କରିଛନ୍ତି।

ସେହିପରି ଆଇନ ପ୍ରତ୍ୟାହାର ହେବାର ଶ୍ରେୟ ନେବାକୁ ଶାସକ ଦଳ ବିଜେଡି ବି ଆଗକୁ ଆସିଛି। ପୁରୀ ସଂସଦୀୟ କ୍ଷେତ୍ରର ବିଜେଡି ସାସଂଦ ପିନାକୀ ମିଶ୍ର ବାଇ-ଲ’ ପ୍ରତ୍ୟାହାର ହେବାର ଶ୍ରେୟ ବିଜେଡିକୁ ଯାଉଥିବା ଆଳରେ ଟ୍ଵିଟ୍ କରିଛନ୍ତି। ଟ୍ଵିଟରେ ପିନାକୀ ଲେଖିଛନ୍ତି ଯେ, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ବ୍ରହ୍ମେଶ୍ଵର ମନ୍ଦିର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର କରିବା ପାଇଁ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଆଇନକୁ ଶୀଘ୍ର ପ୍ରତ୍ୟାହାର କରିବାକୁ ମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାର କିଛି ସମୟ ପରେ ସରକାର ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି।

ଅନ୍ୟପଟେ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ମଧ୍ୟ ଆଇନ ପ୍ରତ୍ୟାହାର ହେବାର ଶ୍ରେୟ ବିଜେଡିକୁ ଦେବାକୁ ଟ୍ଵିଟ୍ କରିଛନ୍ତି। ଅମର ଲେଖିଛନ୍ତି ଯେ, ଆଇନ ପ୍ରତ୍ୟାହାର କରିବାକୁ ଆମେ କେନ୍ଦ୍ର ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲୁ। ତେବେ ସବୁଠୁ ବଡ଼ କଥା ହେଲା କି ଆଜି ଶ୍ରୀମନ୍ଦିର ଦର୍ଶନରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଇ-ଲ’ ଆଇନକୁ କଡ଼ା ସମାଲୋଚନା କରିଥିଲେ। ଏହାପରେ ଦିଲ୍ଲୀ ଦରବାରରେ ଓଡ଼ିଆ ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଇନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ଏହାପରେ ସରକାର ଆଇନ ପ୍ରତ୍ୟାହାର କରିଛନ୍ତି।

Comment