ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣାଇଁଠାରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। ସୁନ୍ଦରଗଡ଼ ଓ ରାଉରକେଲା ପରେ ଏହା ହେଉଛି ସୁଦକ୍ଷର ତୃତୀୟ କେନ୍ଦ୍ର। ଗୁରୁବାର ଦିନ ବଣାଇଁ ଦେଓଗାଁଠାରେ ଏହି କୋଚିଂ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ। ଏହି କାର୍ଯ୍ୟକ୍ରମରେ ବଣାଇଁ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୋହା ଉପସ୍ଥିତ ଥିଲେ।

‘ସୁଦକ୍ଷ’ କାର୍ଯ୍ୟକ୍ରମ ଜରିଆରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍‌, ଷ୍ଟାଫ୍ ସିଲେକ୍ସନ୍‌, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍‌, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ କୋଚିଂ ଦିଆଯାଉଛି । କୋଚିଂ ସହ ପ୍ରାର୍ଥୀମାନଙ୍କୁ ମାଗଣାରେ ହଷ୍ଟେଲରେ ରହିବା, ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି।

‘‘ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ସୁଦକ୍ଷ’ କାର୍ଯ୍ୟକ୍ରମ ଏକ ଭଲ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ଦିଆଯିବ। ବଣାଇଁ କେନ୍ଦ୍ରରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରୁ କୋଚିଂ ନେଇ ଶିକ୍ଷିତ ଯୁବକ ଯୁବତୀମାନେ ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବେ ବୋଲି ଆଶା ରହିଛି’’, କହିଛନ୍ତି ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ।

ବଣାଇଁ କେନ୍ଦ୍ରର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏମଏଫ ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାର +୨ ବା +୩ ପାସ୍ କରିଥିବା ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି ‘ସୁଦକ୍ଷ’ର ମୂଳ ଲକ୍ଷ୍ୟ।

ଏହି କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି। ଏହା ସହ ସାମରିକ, ଅର୍ଦ୍ଧସାମରିକ ଏବଂ ପୋଲିସ ଚାକିରି ଲାଗି ଆବଶ୍ୟକ ଶାରୀରିକ ଦକ୍ଷତା ବାବଦରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯିବ। ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯାଉଛି।

Comment