ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିମଧ୍ୟରୁ ଭାରତରେ ପାଖାପାଖି ୧୨ ପ୍ରତିଶତ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିଶୁମାନଙ୍କୁ ଏହି ମାରାତ୍ମକ ରୋଗ ଦାଉରୁ ଦୂରରେ ରଖିବା ପାଇଁ ପିତାମାତାଙ୍କର ବିଶେଷ ଦାୟିତ୍ୱ ରହିଛି। ଏଥିପାଇଁ ବାପା, ମା’ଙ୍କ ପ୍ରଥମ ଦାୟିତ୍ୱ ହେଲା ପିଲାମାନଙ୍କୁ ଜଙ୍କ୍‌ ଫୁଡରୁ ଦୂରେଇ ରଖିବା। ଏକଥା ଜଣେ ଶିଶୁ କର୍କଟ ରୋଗ ବିଶେଷଜ୍ଞ କହିଛନ୍ତି।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ଶିଶୁ କର୍କଟ ଦିବସ ପାଳନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପେଡିଆଟ୍ରିକ୍ ଅଙ୍କୋଲଜିଷ୍ଟ ଡାକ୍ତର ସରୋଜ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ,‘‘୫ ବର୍ଷ ମଧ୍ୟରେ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆସିଥିବା ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୭୦୦ ଜଣଙ୍କୁ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ମାତ୍ର ଉପଯୁକ୍ତ ଚିକିତ୍ସା ଫଳରେ ୩୫୦ ଜଣ ରୋଗ ମୁକ୍ତ ହୋଇପାରିଛନ୍ତି”।

ଅଧିକାଂଶ କ୍ଷେତ୍ରରେ ବଂଶଗତ କାରଣ ଯୋଗୁଁ ଶିଶୁମାନଙ୍କୁ କର୍କଟ ରୋଗ ହେଉଛି। ମାତ୍ର ରୋଗ ପ୍ରାଥମିକ ସ୍ତରରେ ଚିହ୍ନଟ ହୋଇପାରିଲେ ଓ ଉତ୍ତମ ଚିକିତ୍ସା ମିଳିଲେ ଏଥିରୁ ସୁସ୍ଥତା ମିଳିପାରିବ। ଶିଶୁମାନଙ୍କ କ୍ଷେତ୍ରରେ ପ୍ରାୟତଃ ଲ୍ୟୁକୋମିଆ, ବ୍ରେନ୍ ଟ୍ୟୁମର, କିଡ୍‌ନି ଟ୍ୟୁମର୍‌, ଲିଭର ଟ୍ୟୁମର ବା ବୋନ୍ ସାର୍କୋମା ଭଳି କର୍କଟ ଦେଖାଯାଏ। ତେବେ ପିଲା ସୁସ୍ଥ ରହିଲେ, ସଠିକ୍ ଓଜନ ସହିତ ବଢ଼ିଲେ, ନିୟମିତ ବ୍ୟାୟାମ କଲେ ଓ ସବୁଜ ପନିପରିବା ଓ ଫଳ ଖାଇଲେ ଏହି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଡାକ୍ତର ପଣ୍ଡା କହିଥିଲେ।

ଏହି ଦିବସ ପାଳନ ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଶିଶୁ ରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ଶିଶୁ ରୋଗ ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ଦାଶ, ମେଡିକାଲ୍ ଅଙ୍କୋଲୋଜି ବିଭାଗର ପ୍ରଫେସର ସୌମ୍ୟ ସୁରଥ ପଣ୍ଡା ଏବଂ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ଡାକ୍ତର ନିର୍ମଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାୟ ୪୦ ଜଣ କର୍କଟ ଆକ୍ରାନ୍ତ ଶିଶୁ ଓ ତାଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ମ୍ୟାଜିସିଆନ୍ ଜୀବନ ଦାସ ସେମାନଙ୍କୁ ମାନସିକ ଚାପରୁ ମୁକ୍ତ କରି ଉତ୍ସାହିତ କରିବା ନିମନ୍ତେ ମ୍ୟାଜିକ୍ ଦେଖାଇଥିଲେ। ସେହିପରି ଓଡ଼ିଆ ଅଭିନେତା ପ୍ରସନ୍‌ଜିତ ଦାସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ମନୋରଞ୍ଜନ କରିଥିଲେ। ଡାକ୍ତର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comment