ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କଲା ପୋଲିସ।

୨୨ ବର୍ଷ ତଳେ କଟକ ବାରଙ୍ଗ ଅଞ୍ଚଳରେ ଏକ ଗଣଦୁଷ୍କର୍ମ ହୋଇଥିଲା। ସେତେବେଳେ ଏହି ଘଟଣାକୁ ନେଇ ପୂରା ରାଜ୍ୟ ଉଠିଥିଲା ପଡ଼ିଥିଲା। କିନ୍ତୁ ଘଟଣା ଭିଆଇଥିବା ବ୍ୟକ୍ତି ପୋଲିସକୁ ଚକମା ଦେଇ ଖସି ପଳାଇଥିଲା। କଥାରେ ଅଛି, ‘ଆଇନର ହାତ ବହୁତ ଲମ୍ବା’। ଜଣେ ନିଜ ଅପରାଧକୁ ଯେତେ ବି ଲୁଚେଇଲେ ଦିନେ ନା ଦିନେ ଧରାପଡ଼େ। ଏହି ଘଟଣାରେ ବି ଠିକ ସେମିତି ଘଟିଛି। ଦୀର୍ଘ ୨୨ ବର୍ଷ ପରେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରାଯାଇଛି। ଏନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

କେମିତି ଥିଲା ପୂରା ଘଟଣା?

୧୯୯୯ ଜାନୁଆରି ୯ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ପୀଡ଼ିତା ବାରଙ୍ଗ ଥାନା ଅଞ୍ଚଳର ଏକ ଢାବାରେ ତାଙ୍କ  ବନ୍ଧୁଙ୍କ ସହ ଚାହା ପିଉଥିଲେ। ତାଙ୍କୁ ସେଠି ୩ ଜଣ ଦୁର୍ବୃତ୍ତ ଦେଖିଥିଲେ। ଯେତେବେଳେ ସେ କାରରେ ଫେରିଥିଲେ ସେମାନେ କାର୍‌କୁ ଅଟକାଇଥିଲେ। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ କାର୍‌ ଚଳାଇଥିଲା। ବେଲଗାଛିଆ ମହଲା ପାଖରେ ଶୂନଶାନ ଜାଗା ଦେଖି ସେମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ନେଇ ଭାଲୁକା ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ପ୍ରାୟ ୩/୪ ଘଣ୍ଟା ଧରି ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ ସେମାନେ। ସେତେବେଳେ ଏହି ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଓଡ଼ିଶା ଇତିହାସରେ ଏହା କଳଙ୍କିତ ଘଟଣା ଯୋଗୁଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ପୋଲିସ, ସିବିଆଇ ଲାଗିଥିଲେ ବି ଅଭିଯୁକ୍ତଙ୍କୁ ଧରିପାରିନଥିଲେ।

କଟକ ମହିଳା ଥାନାରେ ଜାନୁଆରି ୧୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ଭାର ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିଲା। ଏଥିରେ ଦୁଇ ଅଭିଯୁକ୍ତ ଧୀରେନ୍ଦ୍ର ଓ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଧରା ନପଡ଼ିବାରୁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ ହାଇକୋର୍ଟ।

ଅପରେସନ ‘ସାଇଲେଣ୍ଟ ଭାଇପର’କୁ ମିଳିଲା ସଫଳତା

ଅଭିଯୁକ୍ତକୁ ଧରିବା ପାଇଁ ଓଡ଼ିଶା ପୋଲିସ ଓ ସିବିଆଇ ବହୁ ଉଦ୍ୟମ କରିଥିଲେ। ହେଲେ ବିବନ ଟେର ପାଇନଥିଲେ। ୩ ମାସ ତଳେ କମିସନରେଟ ପୋଲିସ ଏହି ପୁରୁଣା ଫାଇଲକୁ ପୁଣି ଖୋଲିଥିଲା। ଅପରେସନ ‘ସାଇଲେଣ୍ଟ ଭାଇପର’ (ନିରବ ବୋଡ଼ାସାପ)ମାଧ୍ୟମରେ ଅଭିଯୁକ୍ତ ବିବନଙ୍କୁ ଖୋଜି ବାହାର କରିଛି ପୋଲିସ। ଏହି ଅପରେସନର ପରିଚାଳନା କରୁଥିଲେ ନିଜେ ସୁଧାଂଶୁ ଷଡ଼ଙ୍ଗୀ। କଟକ ଡିସିପି ପ୍ରତୀକ ସିଂହ, ଆଡିସନାଲ ଡିସିପି ପ୍ରମୋଦ ରଥ, ଇନ୍‌ସପେକ୍ଟର ସ୍ପେଶାଲ ସ୍କ୍ୱାର୍ଡ ଅଜୟ ଦାସ ଓ ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ ଏହି ଅପରେସନରେ ସାମିଲ ଥିଲେ।

ପୁଣେରେ ନାଁ ବଦଳାଇ ରହୁଥିଲା ଅଭିଯୁକ୍ତ

ଅପରେସନ ମାଧ୍ୟମରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୋଲିସ। ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ବିବନ ମହାରାଷ୍ଟ୍ର ପୁଣେରେ ନାଁ ବଦଳାଇ ରହୁଥିଲା। ପୁଣେ ଆମ୍ବି ଭ୍ୟାଲିରେ ବିବନ ନିଜକୁ ଜଳଧର ସ୍ୱାଇଁ କହି ଜଣେ ପାଇମିସ୍ତ୍ରୀ ଭାବ କାମ କରୁଥିଲା। ପରିଚୟ ପତ୍ର, ଆଧାର କାର୍ଡ, ପାସବୁକ୍‌ ସବୁ କିଛି ଜଳନ୍ଧର ନାଁରେ ରଖିଥିଲା। କମିସନରେଟ ପୋଲିସ ସ୍ୱତନ୍ତ୍ର ଅଭିଯାନ କରି ମହାରାଷ୍ଟ୍ର ପୋଲିସ ସହାୟତାରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା। ତେବେ ଏତେ ବର୍ଷ ପରେ କାହିଁକି ପୁରୁଣା ଫାଇଲ ପୋଲିସ ଖୋଲିଲା ସେନେଇ କିଛି ଜଣାପଡ଼ିନାହିଁ।

Comment