ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା ଭଳି ମାମଲା ପ୍ରତ୍ୟେକ ଦିନ କିଛି ଦେଖିବାକୁ ମିଳୁଛି। ଏହା ବିଶେଷକରି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଛି। ତେଣୁ ଛାତ୍ରଛାତ୍ରୀମାନେ ମାନସିକ ଚାପରୁ ଦୂରେଇ ରହିବା ଦରକାର। ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏକଥା କହିଛନ୍ତି।

ଶନିବାର ପ୍ରଥମ ସୋଆ ଫୋର୍ଟନାଇଟ୍‌ଲି ଏକାଡେମିକ୍ ଲେକ୍‌ଚର୍ (ସୋଫଲ୍‌)ରେ ଏହି ପ୍ରସଙ୍ଗ ଉଠାଇଛନ୍ତି ପ୍ରଫେସର ମହାପାତ୍ର।

ନିଜର ଦକ୍ଷତା ଓ ଜ୍ଞାନର ପାରଦର୍ଶିତା ଦେଖାଇବା ପାଇଁ ଅନେକ ଉପାୟ ଅଛି। ତେଣୁ ମାନସିକ ଚାପରେ ନରହି ଏହି କଥାକୁ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ପିତାମାତା ହୃଦୟଙ୍ଗମ କରିବା ଦରକାର। କାରଣ ଅନେକ ସମୟରେ ବାପା, ମା’ ପିଲାଙ୍କ ଉପରେ ନିଜର ନିଷ୍ପତ୍ତି ଲଦି ଦିଅନ୍ତି ଯାହାଫଳରେ ପିଲାମାନେ ମାନସିକ ଚାପରେ ଥାଆନ୍ତି ବୋଲି କହିଛନ୍ତି ପ୍ରଫେସର ମହାପାତ୍ର।

‘ସୁସ୍ଥ ଜୀବନଶୈଳୀ’କୁ ନେଇ ହୋଇଥିବା ଏହି ଆଲୋଚନା ଚକ୍ରରେ ପ୍ରଫେସର ମହାପାତ୍ର କହିଥିଲେ, ଅଧିକାଂଶ ଛାତ୍ରଛାତ୍ରୀଙ୍କ ରାତି ୨ ଟା ଯାଏ ଚାହିଁ ରହୁଛନ୍ତି। ସେମାନେ ବିଚକ୍ଷଣ ଛାତ୍ରଛାତ୍ରୀ ହୋଇପାରିଥାନ୍ତି କିନ୍ତୁ ଏକ ଶୃଙ୍ଖଳିତ ଜୀବନ ଜୀଇଁବା ପାଇଁ ସେମାନଙ୍କୁ କେହି କହୁ ନାହାନ୍ତି। ଫଳରେ ସେମାନଙ୍କ ପାଖରେ ମାନସିକ ଚାପ ଦେଖାଯାଉଛି।

ଜୀବନରେ ସଫଳତା କହିଲେ କେବଳ ଟଙ୍କାକୁ ବୁଝାଏ ନାହିଁ। ଏହା ସ୍ୱାସ୍ଥ୍ୟ ଏବଂ ସୁଖ କିଣିପାରିବ ନାହିଁ। ଛାତ୍ରଛାତ୍ରୀମାନେ ୮ ଘଣ୍ଟା ବିଶ୍ରାମ ନେବା ସହ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଗ୍ରହଣ କରିବାରୁ ନିବୃତ ରୁହନ୍ତୁ ବୋଲି ସେ କହିଛନ୍ତି।

ଏହି ଅବସରରେ ଏନ୍‌ଏସ୍‌ଏସ୍‌ର ଡାଇରେକ୍ଟୋରେଟଠାରେ ଅବସ୍ଥାପିତ ଆସିଷ୍ଟାଣ୍ଟ ପ୍ରୋଗ୍ରାମ୍ ଅଫିସର ଡକ୍ଟର କମଳ କେ. କର ନିଜର ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଏନ୍‌ଏସ୍‌ଏସ୍‌ର ସଂଯୋଜକ ଡକ୍ଟର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here