ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରେ କେଉଁଠି ଶୋଷ ଲାଗିଲେ ଆମେ ବଜାରରୁ ମିନେରାଲ ୱାଟର କିଣି ପିଇଥାଉ। ହେଲେ ଏଣିକି ମିନେରାଲ ୱାଟର ପିଉଥିଲେ ସାବଧାନ ହୋଇଯାଆନ୍ତୁ। ଏହି ପାଣି ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ) ପକ୍ଷରୁ କୁହାଯାଇଛି। ଏଫଏସଏସଏଆଇ ପକ୍ଷରୁ ପ୍ୟାକେଜ୍ଡ ଡ୍ରିକିଂ ୱାଟର ଏବଂ ମିନେରାଲ ୱାଟରକୁ ‘ଅଧିକ ବିପଦପୂର୍ଣ୍ଣ’ ବର୍ଗରେ ସାମିଲ କରାଯାଇଛି।

ଦେଶରେ ବିଭିନ୍ନ ବ୍ରାଣ୍ଡର ପାଣିକୁ ବାଧ୍ୟତାମୂଳକ ଯାଞ୍ଚ କରାଯିବ। ଏଥିସହିତ ତୃତୀୟ ପକ୍ଷ ଅଡିଟ୍ କରିବାକୁ ଏଫଏସଏସଏଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏଫଏସଏସଏଆଇର ବୟାନ ଅନୁସାରେ, କୌଣସି ଜିଷିଷ ଦୂଷିତ ହୋଇଥିଲେ କିମ୍ବା ଗଚ୍ଛିତ ଅବସ୍ଥାରେ ଖରାପ ହୋଇଯାଇଥିଲେ ତାହାକୁ ‘ଅଧିକ ବିପଦପୂର୍ଣ୍ଣ ଖାଦ୍ୟ’ ବର୍ଗରେ ସାମିଲ କରାଯାଇଥାଏ। ଏପରି ଖାଦ୍ୟ ବା ପାନୀୟ ଦ୍ୱାରା ରୋଗ ବଢ଼ିବାର ଆଶଙ୍କା ଥାଏ। ତେଣୁ ଏପରି ଖାଦ୍ୟର ବ୍ୟବହାର କରିବା ପୂର୍ବରୁ ଏହାର କଡ଼ାକଡ଼ି ଭାବେ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି।

ଏହି ‘ଅଧିକ ବିପଦପୂର୍ଣ୍ଣ ଖାଦ୍ୟ’ ବର୍ଗରେ ବୋତଲ ବନ୍ଦ ପାଣି ସହିତ କଞ୍ଚାମାଂସ, ମାଛ, ଦୁଗ୍ଧ ଜାତୀୟ ଉତ୍ପାଦ, ସଜ ଫଳ, ପରିବା, ପୂର୍ବରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପଦାର୍ଥ, ସାଲାଡ, ମିଠାଇ ଆଦି ରହିଛି। ପୂର୍ବରୁ ଏହି ଉତ୍ପାଦ ଉପରେ ଭାରତୀୟ ମାନକ ବ୍ୟୁରୋର (ବିଆଇଏସ) ମାର୍କ ରହୁଥିଲା।

ଚଳିତବର୍ଷ ଅକ୍ଟୋବର ମାସରେ ସରକାର ଏହି ଉତ୍ପାଦ ଉପରୁ ବିଆଇଏସର ସାର୍ଟିଫିକେଟ ହଟାଇ ଦେଇଥିଲେ। ଏହାପରେ ନଭେମ୍ବର ୨୯ରେ ଏଫଏସଏସଏଆଇ ପକ୍ଷରୁ ପ୍ୟାକେଜ୍ଡ ଡ୍ରିକିଂ ଏବଂ ମିନେରାଲ ୱାଟରକୁ ଏବେ ଅଧିକ ବିପଦପୂର୍ଣ୍ଣ ଖାଦ୍ୟ ବର୍ଗରେ ସାମିଲା କରାଗଲା। ଯାହା ଫଳରେ ଏହି ଉତ୍ପାଦଗୁଡିକର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ ପକ୍ଷରର ଅଡିଟର ଆବଶ୍ୟକତା ରହିଛି।

ଏଫଏସଏସଏଆଇର ଏପରି ନିଷ୍ପତ୍ତି ଦ୍ଵାରା ପ୍ୟାକେଜ୍ଡ ଡ୍ରିକିଂ ଏବଂ ମିନେରାଲ ୱାଟର ପ୍ରସ୍ତୁତ କରୁଥିବା କମ୍ପାନିଗୁଡ଼ିକୁ ବଡ଼ ଝଟକା ଲାଗିଛି। ଜାରି ହୋଇଥିବା ନିୟମ ଅନୁସାରେ, ସମସ୍ତ କମ୍ପାନିକୁ ବାର୍ଷିକ ଯାଞ୍ଚର ସାମ୍ନା କରିବାକୁ ପଡ଼ିବ। ଏହି ଯାଞ୍ଚ କମ୍ପାନୀକୁ ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ କରିବାକୁ ପଡ଼ିବ।

Tags: #MineralWater #Drinkingwater #FSSAI #FoodSafety #Health #India

LEAVE A REPLY

Please enter your comment!
Please enter your name here