ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏହି ସବୁ ଫିଲ୍ମରେ ଏକାଠି କାମ କରି ଦର୍ଶକଙ୍କ ପ୍ରିୟ ଯୋଡ଼ି ପାଲଟିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ।

ଓଡ଼ିଆ ସିନେ ଜଗତରେ କିଛି ଏମିତି ଯୋଡ଼ି ଅଛନ୍ତି, ଯାହାଙ୍କୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ସେ ମଧ୍ୟରୁ ସୋବର ବୟ ସବ୍ୟସାଚୀ ଏବଂ ଓଲିଉଡ କୁଇନ୍ ଅର୍ଚ୍ଚିତାଙ୍କ ଯୋଡ଼ି ନିଆରା। କାରଣ କେତେବେଳେ ଅର୍ଚ୍ଚିତାଙ୍କ ପାଉଁଜି ଶବ୍ଦରେ ସବ୍ୟ ପାଗଳ ହୋଇଛନ୍ତି ତ କେତେବେଳେ ଅର୍ଚ୍ଚିତାଙ୍କ ପାଇଁ ‘ସପନର ସୌଦାଗର’ ପାଲଟିଛନ୍ତି, ଆଉ କେତେବେଳେ ଦୁହିଁଙ୍କୁ ପ୍ରେମ ଜର ମଧ୍ୟ ହୋଇଛି। ଏବେ ‘ମୁଁ ଏକା ତୁମର’ କହି ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ଓଲିଉଡ ଜଗତର ଏହି ସୁପରହିଟ ଯୋଡ଼ି। ତେବେ ଆପଣ ଜାଣନ୍ତି କି ଏହି ହିଟ୍ ଯୋଡ଼ି କେଉଁ କେଉଁ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକଙ୍କ ପ୍ରିୟ ପାଲଟିଛନ୍ତି?

ତୋର ମୋର ଯୋଡ଼ି ସୁନ୍ଦର

ଓଲିଉଡରେ ଅର୍ଚ୍ଚିତା ଓ ସବ୍ୟସାଚୀ ‘ତୋର ମୋର ଯୋଡ଼ି ସୁନ୍ଦର’ରେ ନଜର ଅସିଥିଲେ। ଦେବୁ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ’ତୋର ମୋର ଯୋଡ଼ି ସୁନ୍ଦର’ ଏକ ତ୍ରିକୋଣୀୟ ପ୍ରେମ ସିନେମା। କାହାଣୀରେ ବେଶ୍‌ କିଛି ଟ୍ୱିଷ୍ଟ୍ ମଧ୍ୟ ରହିଥିଲା। ସବ୍ୟସାଚୀ ପ୍ରଥମ ଥର ପାଇଁ ଏହି ସିନେମାରେ ଅର୍ଚ୍ଚତାଙ୍କ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିଥିଲେ। ଏଥିରେ ଉଭୟ ଅର୍ଚ୍ଚିତା ଓ ଅର୍ଚ୍ଚିତାଙ୍କର ଗେଟଅପ୍‌ ଓ ଉଭୟଙ୍କର ସବ୍ୟସାଚୀଙ୍କ ସହ ରୋମାନ୍‌ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

ମୁଁ ଏକା ତୁମର

୨୦୧୩ର ଏକ ସୁପରହିଟ୍‌ ଓଡ଼ିଆ ଫିଲ୍ମ ହେଲା ‘ମୁଁ ଏକା ତୁମର’। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି। ‘ମୁଁ ଏକା ତୁମର’ରେ ସବ୍ୟସାଚୀଙ୍କ ସହ ରୋମାନ୍ସ କରିଥିଲେ ଦୁଇ ଜଣ ନାୟିକା। ଏମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କର ହିଟ୍‌ ପାର୍ଟନର ଅର୍ଚ୍ଚିତା ଓ ଅନ୍ୟଜଣକ ହେଲେ ବଙ୍ଗୀୟ ନାୟିକା ରାଗିଣୀ।

ଫିଲ୍ମର କାହାଣୀ ଅନୁଯାୟୀ, ଅର୍ଚ୍ଚିତାଙ୍କର ବାହାଘର ଠିକ୍ ହୋଇଥାଏ ମହେଶ (ଦେବାଶିଷ ପାତ୍ର)ଙ୍କ ସହିତ। କିନ୍ତୁ ସେହି ବାହାଘର ପୂର୍ବରୁ ଅର୍ଚ୍ଚିତା ଭେଟନ୍ତି ରାଜୁ (ସବ୍ୟସାଚୀ)ଙ୍କୁ। ରାଜୁ ଜଣେ ମୂକ ବୋଲି ମନେକରନ୍ତି ଅର୍ଚ୍ଚିତା। ହେଲେ ପରେ ସତକଥାଟି ଜାଣିବା ପରେ ରାଜୁର ପ୍ରେମରେ ପଡ଼ିଯାଆନ୍ତି।

ସେହି କଥାଟି ହେଲା ଯେ, ସବ୍ୟସାଚୀ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତାକୁ କଥା ଦେଇଥିବା ହେତୁ ସେ ମୂକ ହୋଇ ରହୁଛନ୍ତି। ସବ୍ୟସାଚୀଙ୍କ ଏହି ପ୍ରେମିକା ଭୂମିକାରେ ନଜର ଆସିଥିଲେ ରାଗିଣୀ। ସବ୍ୟସାଚୀ- ଅର୍ଚ୍ଚିତା ଓ ସବ୍ୟସାଚୀ-ରାଗିଣୀଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମରେ ପୁଣି ସବ୍ୟସାଚୀ ଅର୍ଚ୍ଚିତାଙ୍କ ଯୋଡ଼ି ହିଟ୍ ହୋଇଥିଲା।

ବାଏ ବାଏ ଦୁବାଇ

ବାଏ ବାଏ ଦୁବାଇ, ୨୦୧୬ ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରଯୋଜକ ଥିଲେ ଅକ୍ଷୟ କୁମାର ପରିଜା। ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ। ସବ୍ୟସାଚୀ ଏବଂ ଅର୍ଚ୍ଚିତା ଏଥିରେ ମୁଖ୍ୟ ଭୂମିକାରେ ଥିବା ବେଳେ ବୁଦ୍ଧାଦିତ୍ୟ ମହାନ୍ତି, ପପୁ ପମ ପମ ମଧ୍ୟ ଅଭିନୟ କରିଥିଲେ।

ପାଗଳ କରିଛି ପାଉଁଜି ତୋର

ପାଗଳ କରିଛି ପାଉଁଜି ତୋର, ୨୦୦୯ରେ ରିଲିଜ ହୋଇଥିବା ଏକ ସୁପରହିଟ ଫିଲ୍ମ। ଏହି ଫିଲ୍ମଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ। ବିଜୟ ମଲ୍ଲ ଏହାର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲା ବେଳେ ନିର୍ମଳ ନାୟକ ଏହାର ସଂଳାପ ରଚନା କରିଥିଲେ। ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ। ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଯୋଡ଼ିକୁ ଏଥିରେ ବି ଦର୍ଶକ ପସନ୍ଦ କରିଥିଲେ।

ମତେ ଆଣିଦେଲ ଲକ୍ଷେ ଫଗୁଣ

ସବ୍ୟସାଚୀ ଅର୍ଚ୍ଚିତାଙ୍କର ଆଉ ଏକ ସୁପରହିଟ୍‌ ଫିଲ୍ମ ହେଲା ‘ମତେ ଆଣିଦେଲ ଲକ୍ଷେ ଫଗୁଣ’। ଏହି ଫିଲ୍ମର ପ୍ରଯୋଜନା କରିଥିଲେ ଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ କୁମାର ପଲାଇ ଏବଂ ପ୍ରଶାନ୍ତ କୁମାର ମାର୍ଥା। ଶାରଦା ପ୍ରସନ୍ନ ପଣ୍ଡା ଏହି ଫିଲ୍ମର କାହାଣୀ ମଧ୍ୟ ରଚନା କରିଥିଲେ। ସଞ୍ଜୟ ନାୟକ ନିର୍ଦ୍ଦେଶନା ଦେଇଥିଲେ। ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଥିଲେ ଶାନ୍ତିରାଜ ଖୋସ୍‌ଲା

ଅଭିମାନ

ଅଭିମାନ’ର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରଓ୍ଵାଲ ଏବଂ ନମିତା ଅଗ୍ରଓ୍ଵାଲ୍‌। ସିଦ୍ଧାର୍ଥ ଟିଭି ନିବେଦିତ ‘ଅଭିମାନ’ର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ମୃତ୍ୟୁଞ୍ଜୟ ସାହୁ। କୌଣସି କାରଣ ଯୋଗୁଁ ଫିଲ୍ମଟି ଏଯାଏଁ ପରଦାକୁ ଆସିପାରିନାହିଁ।

ଏହା ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି। ‘ଅଭିମାନ’ର ସଂଳାପ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ। ବିକାଶ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସେହିପରି କେଉଁ ଦୁନିଆରୁ ଆସିଲ ବନ୍ଧୁ, ଛାତିତଳେ ଡିଙ୍ଗ୍‌ ଡଙ୍ଗ, ହେଲା ମତେ ପ୍ରେମ ଜର, ସ୍ମାଇଲ ପ୍ଲିଜ, ପିଲାଟା ବିଗିଡ଼ିଗଲା, କେବେ ତୁମେ ନାହଁ କେବେ ମୁଁ ନାହିଁ ଭଳି ହିଟ ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରି ଦେଖିବାକୁ ପାଇଛନ୍ତି ଦର୍ଶକ।

Comment