ଓଡ଼ିଶାଲାଇଭ୍ ବ୍ୟୁରୋ          

ସୋମବାର ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେଇଛନ୍ତି। ମୋଦୀଙ୍କ ଟିକାକରଣକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଚର୍ଚ୍ଚାର କାରଣ ହେଉଛି ମୋଦୀଙ୍କ ଗାମୁଛା ଆଉ ତାଙ୍କୁ ଟିକା ଦେଇଥିବା ଦୁଇଜଣ ନର୍ସ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଟିକା ନେବାକୁ ଆସିବା ବେଳେ ବେକରେ ଏକ ଆସାମର ଗାମୁଛା ପକାଇଥିଲେ। ସେହିପରି ମୋଦୀଙ୍କୁ ଟିକା ଦେଇଥିବା ନର୍ସ ପି ନିଭେଦା ପୁଡୁଚେରୀର ହୋଇଥିବା ବେଳେ ତାଙ୍କ ସହଯୋଗୀ ନର୍ସ ରୋସାମ୍ମା ଅଲ୍ଲୀଙ୍କ ଘର କେରଳରେ। ଆଗକୁ ଆସାମ, ପୁଡୁଚେରୀ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ତେଣୁ ଟିକାକରଣ ବେଳେ ମୋଦୀଙ୍କ ଏପରି ପୋଷାକ ଓ ବ୍ୟବସ୍ଥା ଏହିସବୁ ରାଜ୍ୟ ପାଇଁ ନିର୍ବାଚନୀ ରଣନୀତି ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି।

ଆସାମ ଗାମୁଛା

ଟିକା ନେବାକୁ ଆସିଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବେକରେ ଏକ ଆସମର ଗାମୁଛା ପକେଇ ଥିଲେ। ସବୁବେଳେ ନିଜ ବେଶ ପୋଷାକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ମୋଦୀ ଆସାମ ଗାମୁଛା ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଆଗକୁ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୋଦୀଙ୍କର ଏପରି ଆସାମ ଗାମୁଛା ପିନ୍ଧି ଟିକା ନେବା ନିର୍ବାଚନ ପାଇଁ ମୋଦୀଙ୍କର ଏକ ରଣନୀତି। ଯଦିଓ ଆସାମରେ ବିଜେପି କ୍ଷମତାରେ ରହିଛି, ତଥାପି ଆସାମ ଭୋଟରମାନଙ୍କ ମନରେ ମୋଦୀଙ୍କ ଲୋକପ୍ରିୟତା ବଢ଼ାଇବା ସହ ବିଜେପିକୁ ଆହୁରି ମାଇଲେଜ ଦେବାକୁ ମୋଦୀ ଏପରି ବେଶ ପରିଧାନ କରିଛନ୍ତି।ପୁଡୁଚେରୀ ଓ କେରଳ ନର୍ସ

ଆଜି ଟିକାକରଣ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଯେଉଁ ନର୍ସ ଟିକା ଦେଇଥିଲେ, ସେ ପୁଡୁଚେରୀର। ସେହିପରି ଆଉଜଣେ ସହଯୋଗୀ ନର୍ସଙ୍କ ଘର କେରଳ। ଏହି ଦୁଇଟି ରାଜ୍ୟରେ ମଧ୍ୟ ଆଗକୁ ବିଧାନସଭା ନିର୍ବାଚନ ହେବ। ତେଣୁ ଏହି ଦୁଇ ରାଜ୍ୟର ନର୍ସମାନେ ମୋଦୀଙ୍କୁ ଟିକା ଦେବା ମଧ୍ୟ ଏକ ନିର୍ବାଚନୀ ଅସ୍ତ୍ର ବୋଲି ବିରୋଧୀମାନେ ଆଲୋଚନା କରୁଛନ୍ତି। ସବୁଠୁ ଖାସ୍ କଥା ହେଲା ଉଭୟ ପୁଡୁଚେରୀ ଏବଂ କେରଳରେ ଅଣ-ବିଜେପି ସରକାର ରହିଛି। ପୁଡୁଚେରୀରେ ନିକଟରେ କଂଗ୍ରେସ ଶାସନର ଅନ୍ତ ମଧ୍ୟ ଘଟିଛି। ତେଣୁ ମୋଦୀଙ୍କର ଏହି ନର୍ସକାର୍ଡ ବିଜେପି ପାଇଁ ଶୁଭ ସାବ୍ୟସ୍ତ୍ୟ ହେବ ବୋଲି ରାଜନୀତି ପଣ୍ଡିତମାନେ ଆକଳନ କରିଛନ୍ତି।

ଅନ୍ୟପଟେ ମୋଦୀଙ୍କ ଦାଢ଼ି ବେଙ୍ଗଲ ସନ୍ତାନ ତଥା ଭାରତରତ୍ନ ରବୀନ୍ଦ୍ରନାଥ ଟାଗୋରଙ୍କ ଦାଢ଼ି ସହ କିଛିକାଂଶରେ ମେଳ ଖାଉଛି। ପଶ୍ଚିମବଙ୍ଗ ବିଜୟ ପାଇଁ ବିଜେପି ସବୁବେଳେ ଚେଷ୍ଟା କରିଆସିଛି। ତେଣୁ ମୋଦୀ ଟାଗୋରଙ୍କ ଭଳି ଏପରି ଲମ୍ଵା ଦାଢ଼ି ରଖିବା ବେଙ୍ଗଲ ଭୋଟରମାନଙ୍କୁ ଆକର୍ଷିତ କରିବ ବୋଲି ଶୁଣିବାକୁ ମିଳୁଛି।

କୁହାଯାଏ ‘ଯେ ଦେଶ ଯାଇ ସେ ଫଳ ଖାଇ’। ଏହି ଲୋକକଥାର ଝଲକ ମୋଦୀଙ୍କର ପ୍ରାୟ ସବୁ ରାଜ୍ୟ ଗସ୍ତରେ ଦେଖିବାକୁ ମିଳେ। ମୋଦୀ ଯେଉଁ ରାଜ୍ୟକୁ ଯାଆନ୍ତି ସେହି ରାଜ୍ୟର କିଛି ପ୍ରସିଦ୍ଧ ଭାଷାକୁ ନିଜ ଭାଷଣରେ ସେ ସ୍ଥାନ ଦେଇଥାନ୍ତି। ସେହିପରି ପୋଷାକରେ ମଧ୍ୟ ସ୍ଥାନୀୟ ରାଜ୍ୟର ଲୋକକଳାକୁ ଆପଣେଇ ଥାନ୍ତି। ମୋଦୀଙ୍କର ଏହି ଅନ୍ଦାଜକୁ ଲୋକମାନେ ବି ବେଶ୍ ପସନ୍ଦ କରିଥାନ୍ତି, ଯାହାକି ମୋଦୀଙ୍କ ଲୋକପ୍ରିୟତା ବଢ଼ାଇବା ସହ ବିଜେପିକୁ ମାଇଲେଜ ଦେଇଥାଏ। ତେଣୁ ଆଜି ଟିକାକରଣ ବେଳେ ମୋଦୀଙ୍କ ଏପରି ବେଶଭୂଷା ଆଗକୁ ଭୋଟ ହେବାକୁ ଥିବା ରାଜ୍ୟଗୁଡ଼ିକ ପାଇଁ ନିର୍ବାଚନୀ ଅସ୍ତ୍ର ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comment