ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମଧ୍ୟପ୍ରଦେଶର ଏକ ଛୋଟ ଗାଁରେ ମଜୁରିଆ ଭାବେ କାମ କରୁଥିବା ଯୁବକ ପହଞ୍ଚିଲେ କଲର୍ସ ଚ୍ୟାନେଲରେ ପ୍ରସାରିତ ‘ଡ୍ୟାନ୍ସ ଦିୱାନେ’ ସୋ’ରେ। ସାଙ୍ଗରେ ଥିଲେ ତାଙ୍କ ମା’। ଯୁବକ ଜଣଙ୍କ ନାମ ହେଉଛି ଉଦୟ। ତାଙ୍କ ନାଚର ଝଲକ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

ଉଦୟ ହେଉଛନ୍ତି ଜଣେ ସୋସିଆଲ ମିଡିଆ ଡ୍ୟାନ୍ସର। କାମରୁ ଟିକେ ଫୁରୁସତ ପାଇଲେ, ସେ ନାଚ କରି ନିଜର ମନ ହାଲ୍‌କା କରିବା ସହ, ଗାଁ ପିଲାଙ୍କୁ ମଧ୍ୟ ଖୁସି କରିଥାନ୍ତି। ଡ୍ୟାନ୍ସ ପ୍ରତି ଉଦୟଙ୍କ ଦୁର୍ବଳତା ରହିଛି। କିନ୍ତୁ ଅର୍ଥ ଅଭାବରୁ ସେ ଶିଖି ପାରୁନାହାଁନ୍ତି। ଉଦୟଙ୍କ ଡ୍ୟାନ୍ସ ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ, ଶେଷରେ ତାଙ୍କୁ ‘ଡ୍ୟାନ୍ସ ଦିୱାନେ’ରେ ନାଚ କରିବାର ସୁଯୋଗ ମିଳିଛି।

ପରିବାର ଚଳେଇବା ପାଇଁ ଉଦୟ ଦିନ ମଜୁରିଆ ଭାବରେ ଟ୍ରକରେ ସାମଗ୍ରୀ ଲଦିଥାନ୍ତି। ଯାହା ଆୟ କରନ୍ତି, ସେଥିରେ ତାଙ୍କ ପରିବାର ଚଳିଥାଏ। ସେ ସବୁଦିନ ଟିଭିରେ ଡ୍ୟାନ୍ସ ସୋ’ ଦେଖି ନାଚ ଶିଖିଥାନ୍ତି। ବିନା ତାଲିମରେ ଉଦୟଙ୍କ ନାଚ ଏପରି ଚମତ୍କାର ଥିଲାଯେ, ସୋ’ରେ ଏଣ୍ଟ୍ରି କରିବାକୁ ଜଜ୍‌ମାନେ ଗ୍ରୀନ ସିଗନାଲ୍ ଦେଇଥିଲେ।
ସୋ’ରେ ଯେତେବେଳେ ଉଦୟଙ୍କୁ ଡ୍ୟାନ୍ସ କରିବାକୁ କୁହାଯାଇଥିଲା, ସେ ପ୍ରଥମେ କାନ୍ଦି ପକାଇଥିଲେ। ବାରବାର ଏପଟ ସେପଟ ବୁଲି ଚାହୁଁଥିଲେ ଏବଂ ଚଟାଣରେ ହାତ ମାରି ଦେଖୁଥିଲେ। କାରଣ ପୂର୍ବରୁ ଉଦୟ କେବେବି ଏତେ ବଡ଼ ଡ୍ୟାନ୍ସ ସେଟ୍ ଦେଖିନଥିଲେ। ତାଙ୍କର ଗାଁ ମାଟିରେ ନାଚ କରିବାର ଅଭ୍ୟାସ ରହିଛି । ସେଟ୍‌ରେ ଏତେ ଲାଇଟ୍ ଲାଗିଛି, କେମିତି ନାଚିବି ଭାବୁଥିଲେ ଉଦୟ। ଶେଷରେ ଜଜ୍‌ମାନଙ୍କ ବୁଝାସୁଝା ପରେ ଉଦୟ ନିଜର ଭଲ ନାଚ ପ୍ରଦର୍ଶନ କରିଥିଲେ।

କଲର୍ସ ଚ୍ୟାନେଲର ଲୋକପ୍ରିୟ ସୋ’ ହେଉଛି ‘ଡ୍ୟାନ୍ସ ଦିୱାନେ’। ଏଥିରେ ଉଦୟଙ୍କୁ ନାଚ କରିବାକୁ ସୁଯୋଗ ମିଳିଛି। ତାଙ୍କ ମା’ଙ୍କ କହିବାନୁସାରେ, ଉଦୟଙ୍କୁ ପିଲା ଦିନରୁ ନାଚ ପ୍ରତି ଆଗ୍ରହ ରହିଥିଲା। ତେବେ ‘ଡ୍ୟାନ୍ସ ଦିୱାନେ’ ମଞ୍ଚ ଉଦୟଙ୍କ ଜୀବନରେ ପରିବର୍ତ୍ତନ ଆଣିବ ଏବଂ ଭଲ କୋରିଓଗ୍ରାଫି ମିଳିଲେ, ସେ ଆଗକୁ ବହୁତ ଭଲ ପ୍ରଦର୍ଶନ କରିପାରିବେ ବୋଲି ଜଜ୍‌ମାନେ ଆଶା କରିଛନ୍ତି। ଏହି ଶୋ’ର ଜଜ୍‌ ରହିଛନ୍ତି ମାଧୁରୀ ଦିକ୍ଷୀତ୍‌, ତୁଷାର କାଳିଆ, ଧର୍ମେଶ ୟେଲାନ୍ଦେ।

Comment