ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳ ବିଧାନସଭା ନିର୍ବାଚନରେ କାହାର ହେବ ବାଜିମାତ୍‌? ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ।

ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି ନିର୍ବାଚନ କମିସନର। ତାରିଖ ଘୋଷଣା ପରେ ଏବେ ବିଭିନ୍ନ ରାଜ୍ୟର ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। କିନ୍ତୁ କେରଳର ନିର୍ବାଚନୀ ଫଳ ଉପରେ ବିଭିନ୍ନ ପ୍ରମୁଖ ଦଳର ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି।

ଦେଶର ଏକମାତ୍ର ରାଜ୍ୟ ଭାବେ କେରଳରେ ବାମଦଳର ଶାସନ ଚାଲିଛି। ତେଣୁ ନିଜର ଶେଷ ଗଡ଼କୁ ବଜାୟ ରଖିବା ପାଇଁ ଚାହିଁବ ବାମଦଳ ନେତୃତ୍ୱଧୀନ ଏଲଡିଏଫ। କେରଳର ନିର୍ବାଚନୀ ଇତିହାସ ଅନୁସାରେ, ଅଶୀ ଦଶକରୁ ପ୍ରତ୍ୟେକ ଦଫାରେ ଏହି ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଛି। ଏଲଡିଏଫ୍ ଓ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଏଠାରେ ପାଳି କରି ଶାସନ କରିଆସିଛନ୍ତି। ସେ ସୂତ୍ରକୁ ଧରିଲେ କଂଗ୍ରେସକୁ ଲୋକେ ନିର୍ବାଚିତ କରିପାରନ୍ତି ବୋଲି କୁହାଯାଉଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନାହିଁ। କିନ୍ତୁ କେରଳର ୱାୟନାଡ ଆସନ ରାହୁଲ ଗାନ୍ଧୀଙ୍କ ଲୋକସଭା କ୍ଷେତ୍ର ହୋଇଥିବାରୁ ଏହି ରାଜ୍ୟର ଫଳ କଂଗ୍ରେସ ଓ ରାହୁଲଙ୍କ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ବିଜେପି ଏଠାରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ଯଦିଓ ରଖୁନାହିଁ, କିନ୍ତୁ ଦକ୍ଷିଣ ଭାରତକୁ ଫୋକସରେ ରଖିଥିବାରୁ ଦଳ ପାଇଁ ଏହି ରାଜ୍ୟ ମଧ୍ୟ ମହତ୍ତ୍ୱପୂର୍ଣ୍ଣ।

କ’ଣ ଥିଲା ୨୦୧୬ ନିର୍ବାଚନର ଚିତ୍ର?

୨୦୧୬ ନିର୍ବାଚନରେ ପିନାରାୟୀ ବିଜୟନଙ୍କ ନେତୃତ୍ୱାଧୀନ ଏଲଡିଏଫ(ଲେପ୍ଟ ଡେମୋକ୍ରାଟିକ ଫ୍ରଣ୍ଟ) ଓ କଂଗ୍ରେସ ନେତୃତ୍ୱଧୀନ ୟୁଡିଏଫ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଏଲଡିଏଫ୧୪୦ ଟି ଆସନରେ ଲଢ଼ି ସମୁଦାୟ ୯୧ ଟି ଆସନ ଜିତି ସରକାର ଗଢ଼ିଥିଲା। ତେବେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ (ୟୁନାଇଟେଡ଼ ଡେମୋକ୍ରାଟିକ ଫ୍ରଣ୍ଟ) ୪୭ ଟି ଆସନରେ ଜିତିଥିବାବେଳେ, ଏନଡିଏ ଓ ଅନ୍ୟାନ୍ୟ ଦଳ ଗୋଟିଏ ଲେଖାଏଁ ଆସନ ପାଇଥିଲେ।

ବାମଦଳ ପାଇଁ ପ୍ଲସ୍ ପଏଣ୍ଟ ହେବ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବିକାଶ ମଡେଲ

ନିର୍ବାଚନ ପୂର୍ବରୁ କେରଳରେ ହୋଇଥିବା ଓପିନିୟନ ପୋଲ୍‌ରେ ଏଲଡିଏଫ ପ୍ରତି ଲୋକଙ୍କ ସମଥର୍ନ ଥିବା ଆଭାସ ମିଳିଛି। କେତେକ ରାଜନୈତିକ ସମୀକ୍ଷକଙ୍କ ଅନୁସାରେ, ପିନାରାୟୀ ବିଜୟନଙ୍କ ଲୋକପ୍ରିୟତା ଓ ଦୃଢ଼ ନେତୃତ୍ୱ ପୁଣିଥରେ ବାମ ମେଣ୍ଟକୁ କ୍ଷମତାସୀନ କରାଇପାରେ। କୋଚିନରେ ଉପଲବ୍ଧ ମେଟ୍ରୋ ସେବା ଓ କନ୍ନୁର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶାସକ ଦଳ ବିକାଶର ନମୁନା ଭାବେ ଉପସ୍ଥାପନ କରିବ। ଅନ୍ୟପକ୍ଷରେ ପିନାରାୟୀଙ୍କ ଗତ ୫ବର୍ଷର ଶାସନ ସମୟରେ ବାର୍ଦ୍ଧକ୍ୟ ଭତ୍ତା ୬ ଶହରୁ ୧୬ଶହ ଟଙ୍କାକୁ ବୃଦ୍ଧି ପାଇଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନେକ ସୁଧାର ଆସିଥିବା ବୁଦ୍ଧିଜୀବୀ ମହଲ ଆଲୋଚନା କରୁଛନ୍ତି। ସଠିକ୍ ଭାବେ କୋଭିଡ୍ ପରିଚାଳନା ପାଇଁ କେନ୍ଦ୍ରରୁ ପ୍ରଶଂସା ପାଇଥିବା କେରଳ ସରକାର ଏହାକୁ ନିଜ ସ୍ୱଚ୍ଛ ଶାସନର ଅସ୍ତ୍ର ଭାବେ ନେଇପାରନ୍ତି।

ଏହାସହ କଂଗ୍ରେସର ଦୁର୍ବଳ ନେତୃତ୍ୱର ଫାଇଦା ନେଇପାରେ ବାମଦଳ। କିଛି ଦିନ ପୂର୍ବରୁ କେରଳରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ବାମଦଳ ଉଲ୍ଲେଖନୀୟ ସଫଳତା ପାଇଛି। ଏହି ସଫଳତା ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ବୋଲି କୁହାଯାଉଛି।

ବଡ଼ ଧରଣର ପରିବର୍ତ୍ତନ କରିବନି ବିଜେପି, କଂଗ୍ରେସକୁ କ୍ଷତି ଦେଇପାରେ

ବିଜେପି ନିଜ ରାଜନୈତିକ ମାନଚିତ୍ରରେ ଦକ୍ଷିଣ ଭାରତକୁ ଫୋକସରେ ରଖିଆସୁଛି। ବିଶେଷକରି କେରଳରେ ଏପର୍ଯ୍ୟନ୍ତ ଭଲ ଫଳ ପାଇନଥିବା ବିଜେପିର ଭବିଷ୍ୟତ ଏଥର କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିବ। ୨୦୧୬ ନିର୍ବାଚନରେ ଦଳ ତିରୁଅନନ୍ତପୁରମ ଜିଲ୍ଲାର ନିମୋମ ଆସନ ଜିତି ସେଠାରେ ନିଜର ଖାତା ଖୋଲିଥିଲା। ତେବେ ୨୦୧୪ରୁ କେରଳକୁ ନିଜ ଫୋକସକୁ ଆଣିଥିଲା ବିଜେପି। ଆରଏସ୍‌ଏସ୍‌ର ମୋହନ ଭାଗବତ ଏଠାରେ ସକ୍ରିୟ ରହିଛନ୍ତି । ଅନ୍ୟପକ୍ଷରେ ପ୍ରତି ଦଫା ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଉଛି। ୨୦୧୧ ବିଧାନସଭା ନିର୍ବାଚନରେ ବିଜେପି ୬.୦୩ ପ୍ରତିଶତ ଭୋଟ ହାତେଇଥିବାବେଳେ ୨୦୧୬ରେ ୧୪.୯୩ ପ୍ରତିଶତ ଭୋଟ୍ ପାଇଥିଲା।

୨୦୧୮ ପୂର୍ବରୁ ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନିଷେଦ୍ଧ ରହିଥିଲା। କିନ୍ତୁ ୨୦୧୮ ପରେ ମହିଳାଙ୍କୁ ପ୍ରବେଶ ଅଧିକାରୀ ଦେଇ ବିଜେପି କେରଳରେ ନିଜର ମହିଳା ଭୋଟ୍ ବ୍ୟାଙ୍କ ଉଦ୍ୟମ ଆରମ୍ଭ କରିଛି। ଅନ୍ୟପକ୍ଷରେ ଦେଶର ‘ମେଟ୍ରୋମ୍ୟାନ୍‌’ ଭାବେ ପରିଚିତ ପଦ୍ମବିଭୂଷଣ ଇ. ଶ୍ରୀଧରନ ବିଜେପିରେ ଯୋଗଦେବା ପରେ ଏଠାରେ ଦଳକୁ ନୂଆ ଶକ୍ତି ହେବ । ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଉପସ୍ଥାପନ କରାଗଲାଣି। ତାଙ୍କୁ କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି ଗୁରୁବାର ଦିନ କହିଛନ୍ତି ରାଜ୍ୟ ବିଜେପି ମୁଖ୍ୟ କେ ସୁଦର୍ଶନ। ଏକଦା ‘ଦିଲ୍ଲୀ ମେଟ୍ରୋ’ର ପରିକଳ୍ପନା କରି ଦେଶବାସୀଙ୍କ ହୃଦୟ ଜିତିଥିବା ଶ୍ରୀଧରନଙ୍କ ପାଇଁ କେରଳର ମଧ୍ୟବିତ୍ତ ଭୋଟର ବିଜେପିକୁ ଢଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାହୁଲ ଗାନ୍ଧୀଙ୍କ ପାଇଁ ସମ୍ମାନର ପ୍ରସଙ୍ଗ ହେବ କେରଳ

କେରଳରେ କଂଗ୍ରେସ ଯଦିଓ ଭଲ ସ୍ଥିତିରେ ନାହିଁ। କିନ୍ତୁ ଏହି ରାଜ୍ୟର ୱାୟନାଡ୍ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ହୋଇଥିବାରୁ ଏଠାରେ କଂଗ୍ରେସ ପୁଣିଥରେ କ୍ଷମତାସୀନ ହେବା ତାଙ୍କ ପାଇଁ ସମ୍ମାନର ପ୍ରସଙ୍ଗ ହେବ। ତେଣୁ ପ୍ରାୟ ମାସେ ହେବ କେରଳରେ ଡେରା ପକାଇଛନ୍ତି ରାହୁଲ ଗାନ୍ଧୀ। ଏଠିକାର ଫଳାଫଳ ଉପରେ ରାହୁଲଙ୍କ ଆଗତ ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେକାର ନିର୍ବାଚନ ତାଙ୍କ ପାଇଁ ସେମିଫାଇନାଲ ବୋଲି କୁହାଯାଇପାରେ।

Comment