ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଚାଷୀଙ୍କୁ ଏବେ ଖରା ଚିନ୍ତା ଘାରିଲାଣି। ଦିଲ୍ଲୀରେ ପ୍ରବଳ ଖରା ହେଉଥିବାରୁ ରାସ୍ତା ଉପରେ ବସି ଆନ୍ଦୋଳନ କରିବା ଚାଷୀଙ୍କ ପାଇଁ କଷ୍ଟକର ହୋଇପଡ଼ିଲାଣି। ଏହି ଖରାରୁ ବର୍ତ୍ତିବା ପାଇଁ ଚାଷୀମାନେ ଏବେ ଦିଲ୍ଲୀ ସୀମା ଟିକ୍ରିରେ ଇଟା, ସିମେଣ୍ଟରେ ଘର ତିଆରି କରୁଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ମଧ୍ୟ ଏହି ଫଟୋ ଭାଇରାଲ ହେଉଛି।
ଟିକ୍ରିଠାରେ ଚାଷୀଙ୍କ ପାଇଁ ଏହି ଘର ତିଆରି କରୁଛି କିସାନ ସୋସିଆଲ ନାମକ ଏକ ସଙ୍ଗଠନ। ଏହି ସଙ୍ଗଠନର ମୁଖ୍ୟ ଅନିଲ ମଲିକଙ୍କ ସୂଚନା ଅନୁଯାୟୀ ଟିକ୍ରିଠାରେ ପ୍ରାୟ ୨୫ଟି ଏଭଳି ଘର ତିଆରି କରାଯାଇଛି। ଆଗାମୀ ଦିନରେ ଚାଷୀଙ୍କୁ ସହାୟତା କରିବା ପାଇଁ ଆହୁରି ମଧ୍ୟ ଘର ତିଆରି କରାଯିବ।
ଅନ୍ୟପଟେ ଚାଷୀମାନେ ମାର୍ଚ୍ଚ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୨୬ ତାରିଖରେ ୪ ମାସ ପୂରା ହେଉଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି।
ଯେଉଁଯାଏଁ କୃଷି ଆଇନ ପ୍ରତ୍ୟାହାର ନହୋଇଛି ସେ ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି।