ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପରୀକ୍ଷାରେ କେନ୍ଦ୍ରାପଡ଼ାର ମୋନାଲିସା ପ୍ରଧାନଙ୍କୁ ମିଳିଛି ବଡ଼ ସଫଳତା। ସେ ପ୍ରଥମ ଚେଷ୍ଟାରେ ଓଜେଏସ୍ ପରୀକ୍ଷାରେ କୃତିତ୍ଵର ସହିତ ରାଜ୍ୟରେ ୪୪ତମ ସ୍ଥାନରେ ରହିପାରିଛନ୍ତି। ମୋନାଲିସାଙ୍କର ଏହି ସଫଳତା ପାଇଁ ଏବେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

କେନ୍ଦ୍ରାପଡା ଜିଲ୍ଲା ବୀରଶ୍ଵତୀ ଗ୍ରାମର ଖଗେଶ୍ଵର ପ୍ରଧାନ ଏବଂ ମମତା ପ୍ରଧାନଙ୍କ ଏକମାତ୍ର ଝିଅ ହେଉଛନ୍ତି ମୋନାଲିସା ପ୍ରଧାନ। ପିଲାଟିଦିନରୁ ମୋନାଲିସାଙ୍କର ପାଠପଢ଼ା ପ୍ରତି ବେଶ୍ ଆଗ୍ରହ ଥିଲା। ପ୍ରଥମେ ଗାଁରୁ ହାଇସ୍କୁଲ ପାଠପଢ଼ା ଶେଷ କରି ସେ ଭୂବନେଶ୍ଵରର ମହର୍ଷି ଜୁନିୟର କଲେଜରେ +୨ ବିଜ୍ଞାନରେ ନାମ ଲେଖାଇଥିଲେ। ଏହାପରେ ସେ କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟରେ +୩ ବାଣିଜ୍ୟ ସମ୍ମାନରେ ପାଠପଢା ଶେଷ କରି କଟକର ମଧୂସୁଦନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢିଥିଲେ।ଆଇନ ପଢ଼ାରେ ଭଲ ପ୍ରଦର୍ଶନ କରି ବିଶ୍ଵବିଦ୍ୟାଳୟସ୍ତରରେ ସେ ଶ୍ରେଷ୍ଠ ଛାତ୍ରୀ ହୋଇପାରିଥିଲେ। ଏଥିପାଇଁ ୨୦୧୯ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ହାତରୁ ସେ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ।

ଆଇନର ସଫଳ ଛାତ୍ରୀ ଭାବେ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଥିବା ବେଳେ ଆଜି ତାଙ୍କର କଠିନ ଅଧ୍ୟବସାୟ ତାଙ୍କୁ ଓଡ଼ିଶା ଆଇନ ସେବା କ୍ଷେତ୍ର ପାଇଁ ଯୋଗ୍ୟ ବିବେଚିତ କରିଛି।

Comment