ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ରାଉରକେଲା ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସୋମବାର ପୁରୀରେ ଜଗା ଦର୍ଶନ ସାରି କୋଣାର୍କରେ ସୂର୍ଯ୍ୟମନ୍ଦିର ବୁଲି ଦେଖିଛନ୍ତି। ପୁରୀରେ ପହଞ୍ଚି ସେ ‘ସମର୍ପଣ ନିଧି ଅଭିଯାନ’ରେ ସାମିଲ ହୋଇଥିଲେ। ଭ୍ରମଣ ସମୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

ସୋମବାର ସକାଳେ ରାଷ୍ଟ୍ରପତି ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଥିସହ ବିଶ୍ୱର ସମସ୍ତ ଓଡ଼ିଆ ଓ ହିନ୍ଦୁ ସମାଜକୁ ‘ସମର୍ପଣ ନିଧି ଅଭିଯାନ’ରେ ସାମିଲ ହେବାକୁ ପ୍ରେରଣା ଦେଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ସୂଚନା ଦେବା ସହ ଏଥିରେ ସାମିଲ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପୁରୀରେ ଦର୍ଶନ କାର୍ଯ୍ୟ ସାରି ସୂର୍ଯ୍ୟ ମନ୍ଦିର ଭ୍ରମଣରେ ବାହାରିଥିଲେ ରାଷ୍ଟ୍ରପତି। ସେଠାରେ ମନ୍ଦିର ପରିଦର୍ଶନ କରି, କୋଣାର୍କ ସ୍ଥିତ ଯାତ୍ରୀ ନିବାସରେ ବିଶ୍ରାମ ନେଇଛନ୍ତି । ଅପରାହ୍‌ଣ ୪ଟାରେ ଭୁବନେଶ୍ୱର ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ଯେଉଁମାନେ ରାଷ୍ଟ୍ରପତିଙ୍କ ନିକଟକୁ ଯିବେ, ସମସ୍ତଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଇଛି।

Comment