ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର। ସେମାନଙ୍କ ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ସଂରକ୍ଷଣ ବ୍ୟବସ୍ଥା ରହିବ। ଆସନ୍ତା ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ। ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କିତ ବିଲ୍ ପାରିତ ହୋଇଛି। ଏଣିକି ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ମିଳିବ। ଏନେଇ ବିଧାନସଭାରେ ସଂକଳ୍ପ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ କିଭଳି ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ସୁଯୋଗ ପାଇପାରିବେ, ସେନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ସୋମବାର କମିଟିର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେବାପରେ, ମଙ୍ଗଳବାର ବିଧାନସଭାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସଙ୍କଳ୍ପ ପାରିତ ହୋଇଛି।
ସରକାରୀ ସ୍କୁଲର ପିଲାଙ୍କ ପାଇଁ ଏହିି ସଂରକ୍ଷଣ ନିଷ୍ପତ୍ତି ବେଶ ସହାୟକ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ଅନେକ ମାତ୍ରାରେ ଉପକୃତ ହେବେ ବୋଲି କହିଛନ୍ତି, ବିଧାୟକ ଅତନୁ ସବ୍ୟସାଚୀ ନାୟକ।
ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସବୁ ମହଲରୁ ସମର୍ଥନ ମିଳିଛି। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଅବସରରେ ଆଜି ବିଧାନସଭାରେ ଏହି ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ।