ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅତି ସାଂଘାତିକ ରୂପ ନେଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜିଠୁ ୧୫ ଦିନ ପାଇଁ ରାଜ୍ୟରେ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି। ବୁଧବାର ରାତି ୮ଟାରୁ ମେ’ ୧ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏଥିପାଇଁ ରାଜ୍ୟରେ ୧୪୪ ଧାରା ମଧ୍ୟ ଲାଗୁ କରାଯିବ। କେବଳ କିଛି ଜରୁରୀ ପରିସ୍ଥିତି ଉପୁଜିଲେ ଲୋକେ ଘରୁ ବାହାରକୁ ବାହାରିପାରିବେ।

କ’ଣ ବନ୍ଦ, କ’ଣ ଖୋଲା?

  • ଅତ୍ୟାବଶ୍ୟକୀୟ କ୍ଷେତ୍ରରେ ଘରୋଇ ଯାନକୁ ଅନୁମତି ମିଳିବ।
  • ସମସ୍ତ ହୋଟେଲ ଓ ରେସ୍ତୋରାଁ ଗ୍ରାହକଙ୍କ ପାଇଁ ବନ୍ଦ ରହିବ।
  • ହୋମ୍‌ ଡେଲିଭରିକୁ ଅନୁମତି।
  • ଏହା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ।

ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ବଢ଼ୁଥିଲା ବେଳେ ରାଜ୍ୟର ସମସ୍ତ ପ୍ରମୁଖ ସହରାଞ୍ଚଳରେ ଥିବା ହସ୍ପିଟାଲରେ ଶଯ୍ୟା ଓ ଅକ୍ସିଜେନ ଅଭାବ ଲାଗି ରହିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ସେନା ସହାୟତାରେ ଏହି କାମ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି।

ଜନତା କର୍ଫ୍ୟୁ ହେଲେ ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ତଥାପି ଲୋକଙ୍କ ଜୀବନ ବଞ୍ଚାଇବା  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଲୋକ ସରକାରଙ୍କ ଏହି ନିଷ୍ପତ୍ତିରେ ସହଯୋଗର ହାତ ବଢ଼ାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ମହାରାଷ୍ଟ୍ରରେ କରୋନା ଚିତ୍ର

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୬୦ ହଜାର ୨୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩୫ ଲକ୍ଷ ୧୯ ହଜାର ୨୦୮ ଜଣ କୋଭିଡ ସଂକ୍ରମିତ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୫ ଲକ୍ଷ ୪୩ ହଜାର ୦୪୨ ଆକ୍ଟିଭ୍ କେସ୍ ରହିଛି।

Comment