ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ସବୁ ବର୍ଗର ମଣିଷ ଏହାର ଶିକାର ହେଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥଗତ ସମସ୍ୟା ରହିଛି, ସେମାନଙ୍କ କ୍ଷେତ୍ରରେ କରୋନା ପରିସ୍ଥିତି ଜଟିଳ ହେବାର ସମ୍ଭାବନା ଅଧିକ।

କରୋନା ମହାମାରୀ କବଳରେ ସାରା ବିଶ୍ୱ। ଯେଉଁ ବ୍ୟକ୍ତିଙ୍କ ଠାରେ ପୂର୍ବରୁ ବ୍ଲଡ ପ୍ରେସର, ଡାଇବେଟିସ୍‌, ଶ୍ୱାସଗତ ସମସ୍ୟା ରହିଥାଏ, ଅନ୍ୟ ସଂକ୍ରମିତଙ୍କ ତୁଳନାରେ ସେମାନଙ୍କ ପ୍ରତି ବିପଦ ଅଧିକ ଥାଏ। ତେଣୁ ଶରୀରରେ ଏକାଧିକ ରୋଗ ଥିବା ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଦରକାର। ବିଶେଷକରି ଜଣେ ଡାଇବେଟିସ୍ ରୋଗୀ ସଙ୍ଗରୋଧରେ କେମିତି ରହିବେ, ସେ ସମ୍ପର୍କରେ ଜାଣନ୍ତୁ।

ସଙ୍ଗରୋଧରେ ଡାଇବେଟିସ୍ ରୋଗୀମାନେ କ’ଣ କରିବା ଉଚିତ୍?

  • ବାରମ୍ବାର ସାବୁନ୍‌ରେ ହାତ ଧୁଅନ୍ତୁ।
  • ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖନ୍ତୁ।
  • ଘରର ଅନ୍ୟମାନଙ୍କଠାରୁ ୧ମିଟର ବ୍ୟବଧାନ ରଖନ୍ତୁ (ବିଶେଷ କରି ପିଲା ଓ ବୟସ୍କଙ୍କ ଠାରୁ )।
  • ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ବେଳେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ। ପ୍ରତି ୬ ଘଣ୍ଟାରେ ମାସ୍କ ବଦଳାନ୍ତୁ।
  • ପୋଷାକ, ଚାଦର, ଖାଇବା ବାସନକୁ ଦୈନନ୍ଦିନ ଧୁଅନ୍ତୁ।
  • କମ୍ପ୍ୟୁଟର୍‌, ଲାପ୍‌ଟପ୍ ଆଦିକୁ ସାନିଟାଇଜ୍ କରନ୍ତୁ।
  • ମର୍ଣ୍ଣିଙ୍ଗ ୱାକ୍ କରିବା ପାଇଁ ବାହାରକୁ ଯାଆନ୍ତୁ ନାହିଁ।
  • ସଠିକ୍ ସମୟରେ ଔଷଧ ଖାଆନ୍ତୁ।
  • ନିଜେ ରହୁଥିବା ବଖରାର ଚଟାଣକୁ ୦.୧% ବ୍ଲିଚିଂରେ ପୋଛି ପରିଷ୍କାର କରନ୍ତୁ।

ସଙ୍ଗରୋଧ ପାଇଁ ଡାଇବେଟିସ୍ ରୋଗୀମାନେ ନିଜକୁ କିଭଳି ପ୍ରସ୍ତୁତ କରିବେ?

  • ଆପଣ ବ୍ୟବହାର କରୁଥିବା ଔଷଧ, ଇନ୍‌ସୁଲିନ୍ ଷ୍ଟ୍ରୀପ୍‌, ଛୁଞ୍ଚି, ଗ୍ଲୁକୋମିଟର୍ ଆଦି ମାସକ ପାଇଁ ଗଚ୍ଛିତ କରି ରଖନ୍ତୁ।
  • ସାବୁନ୍‌, ଆଲ୍‌କହଲ୍ ନିଜ ପାଖରେ ସବୁବେଳେ ମହଜୁଦ୍ ରଖନ୍ତୁ।
  • ଇନ୍‌ସୁଲିନ୍ ବ୍ୟବହାର କରୁଥିବା ରୋଗୀ ବା ଟାଇପ୍ ୧ ଡାଇବେଟିସ୍ ରୋଗୀମାନେ ନିଜ ପାଖରେ ୟୁରିନ୍ କିଟୋନ୍ ଷ୍ଟ୍ରୀପ ରଖନ୍ତୁ।
  • ଇନ୍‌ଫ୍ଲୁଏଞ୍ଜା ଓ ନିଉମୋକୋକାଲ୍ ଟିକା ନିଅନ୍ତୁ।
  • ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ପରିବର୍ତ୍ତନ କରନ୍ତୁ ନାହିଁ।
  • ଅତ୍ୟଧିକ ରକ୍ତ ଶର୍କରା ହ୍ରାସ କରୁଥିବା ଓ ଦେହରୁ ଜଳୀୟ ଅଂଶ କମ୍ କରୁଥିବା ଭଳି ଔଷଧ ଖାଆନ୍ତୁ ନାହିଁ।
  • ଆଇବ୍ରୁଫେନ୍ ଭଳି ପେନ୍‌କିଲର୍ ବ୍ୟବହାର କରନ୍ତୁ ନାହିଁ।
  • ନିୟମିତ ଭାବେ ରକ୍ତଚାପ ଯାଞ୍ଚ କରନ୍ତୁ।

ଡାଇବେଟିସ୍ ରୋଗୀମାନେ କେଉଁ ସବୁ ସତର୍କତା ଅବଲମ୍ବନ କରିବା ଉଚିତ?

  • ଶ୍ୱେତସାର ଯୁକ୍ତ ଖାଦ୍ୟ ଖାଇବା କମ୍ କରନ୍ତୁ। ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଯଥେଷ୍ଟ ପରିମାଣର ସବୁଜ ପନିପରିବା ଖାଦ୍ୟରେ ସାମିଲ୍ କରନ୍ତୁ।
  • ଶରୀରରୁ ଜଳୀୟ ଅଂଶ କମିବାକୁ ଦିଅନ୍ତୁ ନାହିଁ। ଦିନକୁ ୭-୮ ଗ୍ଲାସ୍ ପାଣି ପିଅନ୍ତୁ।
  • ଅତି କମ୍‌ରେ ଦିନକୁ ୩୦ ମିନିଟ୍ ବ୍ୟାୟାମ କରନ୍ତୁ।
  • ରକ୍ତ ଶର୍କରା ବେଶୀ ପରିମାଣରେ ହ୍ରାସ ବା ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ। ରକ୍ତ ଶର୍କରା ହ୍ରାସ ବୃଦ୍ଧିର ଲକ୍ଷଣଗୁଡିକ ପ୍ରତି ସଜାଗ ରୁହନ୍ତୁ। ରକ୍ତ ଶର୍କରା ବଢିଲେ ରୋଗୀକୁ ଅତ୍ୟଧିକ ଭୋକ, ଶୋଷ, ପରିସ୍ରା ଲାଗିବା ସହିତ ମୁଣ୍ଡବ୍ୟଥା ହୋଇଥାଏ, ଥକ୍କା ଲାଗିଥାଏ। ସେହିପରି ରକ୍ତ ଶର୍କରା କମ୍ ହେଲେ ରୋଗୀକୁ ଅଚାନକ ଭୋକ ଲାଗେ, ଝାଳ ବୁହେ, ହାତ ଥରେ, ହୃଦ୍ ସ୍ପନ୍ଦନ ବଢିଯାଏ। ବେଳେବେଳେ ରୋଗୀ ଚେତାଶୂନ୍ୟ ହୋଇଯାଆନ୍ତି।
  • ଇନ୍‌ସୁଲିନ୍ ବ୍ୟବହାର କରୁଥିଲେ ନିୟମିତ କିଟୋନ୍ ଷ୍ଟ୍ରୀପ୍ ପରୀକ୍ଷା କରନ୍ତୁ।
  • ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Comment