ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ କରୋନାର ଦ୍ଵିତୀୟ ଲହରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଫଳରେ ହଷ୍ଟେଲରେ ରହି ପାଠପଢୁଥିବା ଛାତ୍ରଛାତ୍ରୀମାନେ ଏବେ ଘରମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଭବିଷ୍ୟତ ଗଢ଼ିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆସି ରାଜଧାନୀ ଭୁବନେଶ୍ଵରରେ ପଢୁଥିବା ପିଲା ଏବେ ପୁଣିଥରେ ବ୍ୟାଗ୍ ବସ୍ତାନି ଧରି ଘରକୁ ଫେରୁଛନ୍ତି।

ବିଶେଷ କରି ଶୁକ୍ରବାର ଦିନ ଭୁବନେଶ୍ଵରରେ ଏଭଳି ଏକ ବିବ୍ରତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀମାନେ ନିଜ ନିଜ ଘରକୁ ଫେରିବା ପାଇଁ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ଭିଡ଼ ଲଗାଇଥିଲେ।

ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୧୯ ତାରିଖ ସୁଦ୍ଧା କଲେକ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିବେ। କେବଳ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିପାରିବେ। କିନ୍ତୁ ଉପର ଅଧିକାରୀଙ୍କ ପାଖରୁ ସେମାନଙ୍କୁ ଏନେଇ ଲିଖିତ ଅନୁମତି ଆଣିବାକୁ ହେବ।

ଇତି ମଧ୍ୟରେ ଭୁବନେଶ୍ୱରର ଅନେକ ହଷ୍ଟେଲ ଖାଲି ହୋଇ ସାରିଲାଣି। ରବିବାର ସୁଦ୍ଧା ବାକି ସବୁ ହଷ୍ଟେଲରୁ ପିଲା ଚାଲିଯିବା ଆଶା କରାଯାଉଛି। ଯେହେତୁ ପରୀକ୍ଷା ତାରିଖ ପରେ ଘୋଷଣା ହେବ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି, ହଷ୍ଟେଲ ଛାଡିବା ପାଇଁ ପିଲା ବାଧ୍ୟ ହୋଇଛନ୍ତି।

Comment