ଅସିତ୍‌ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ‘ଦୟଣାଚୋରି ଯାତ୍ରା’ର ଦୟଣାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ଅଛି। ଏପରିକି ଶ୍ରୀଜଗନ୍ନାଥଙ୍କୁ ନେଇ ତିନିଟି ଉପନ୍ୟାସ- ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ଓ ‘କୃଷ୍ଣାବେଣୀରେ ସନ୍ଧ୍ୟା’ ଲେଖିଥିବା ସୁରେନ୍ଦ୍ର ମହାନ୍ତିଙ୍କ ମନରେ ବି ଦିନେ ଦ୍ୱନ୍ଦ୍ୱ ଥିଲା- ଦୟଣା ପତ୍ର ନା ଫୁଲ? ‘ସମ୍ବାଦ’ର ‘ସାହିତ୍ୟ’ ଫର୍ଦ୍ଦର ‘ଶେଷସ୍ତମ୍ଭ’ରେ ସେ ଏକଦା (୨୪ ଏପ୍ରିଲ, ୧୯୮୮ରେ)ଲେଖିଥିବା ‘ଦୟଣା ଓ କେତକୀ’ ଏହାର ଉଦାହରଣ। କିନ୍ତୁ ତାଙ୍କର ସେ ଦ୍ୱନ୍ଦ୍ୱ ଅଚିରେ ଦୂର ହୋଇଯାଇଥିଲା କେତେକ ପାଠକ ଓ ପାଠିକାଙ୍କ ସହଯୋଗରୁ। ସେମାନେ ନିଜ ନିଜ ବାଡ଼ିରୁ ଦୟଣା ତୋଳି ତାଙ୍କ ପାଖକୁ ପଠାଇ ଦେଇଥିଲେ। ଫଳରେ, ‘ପୁନଶ୍ଚ ଦୟଣା’ ଶୀର୍ଷକରେ ସେ ଆଉ ଗୋଟିଏ ଲେଖା ଲେଖିଥିଲେ, ସେଇ ‘ଶେଷସ୍ତମ୍ଭ’ରେ, ମେ ୧୫ ତାରିଖରେ।

କିନ୍ତୁ ଦୟଣା ପ୍ରକୃତରେ ଦେଖିବାକୁ କିପରି, ସେ ନେଇ ଏବେ ବି ଅନେକେ ନିଶ୍ଚିତ ନୁହନ୍ତି। ପ୍ରାୟ ବର୍ଷକ ତଳେ ଜଣେ ବିଶିଷ୍ଟ ସାହିତ୍ୟିକ ଅନ୍ୟ ଗୋଟିଏ ସୁବାସିତ ଗୁଳ୍ମକୁ ଏଠାରେ ଦୟଣା ବୋଲି ଚିହ୍ନାଇଥିଲେ। ଶ୍ରୀମନ୍ଦିରର ଦୟଣା ଚୋରି ନୀତିରେ ଲାଗୁଥିବା ଦୟଣା ବାବଦରେ ଅବହିତ ଥିବାରୁ, ମୁଁ ତୁରନ୍ତ ପ୍ରକୃତ ଦୟଣାର ଫଟୋଚିତ୍ର ଦେଇ ସେହି ଭ୍ରମ ଦୂର କରି ପାରିଥିଲି।

ପୁରୀରେ ବା ଓଡ଼ିଶାରେ ଦୟଣା ମିଳୁ ନଥିବାରୁ, ଶ୍ରୀଜଗନ୍ନାଥଙ୍କର ଏହି ଯାତ୍ରା ପାଇଁ ଚେନ୍ନାଇରୁ ଦୟଣା ଅଣାଯାଉଥିଲା। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ବହୁ ଅର୍ଥ ବ୍ୟୟ କରିବା ସହିତ ଉଦବେଗରେ ରହିବାକୁ ପଡ଼ୁଥିଲା। କିନ୍ତୁ ବିଗତ କିଛି ବର୍ଷ ଧରି ପୁରୀ ମାଟିଆପଡ଼ାର ଜଣେ ଭକ୍ତ, ଡାକ୍ତର ପ୍ରଶାନ୍ତ ପାଣି ଏହି ଦୟଣା ବିନାମୂଲ୍ୟରେ ଯୋଗାଇ ଆସୁଛନ୍ତି। ପ୍ରଥମେ ସେ ନିଜ ଖର୍ଚ୍ଚରେ ଚେନ୍ନାଇ ଯାଇ ତାହା ଆଣି ଯୋଗାଉଥିଲେ। ପରେ ମଞ୍ଜି ଆଣି ଚାରା କରି ଯୋଗାଇଲେ। ଏଇ କିଛିବର୍ଷ ହେଲା,ସେ ନିଜ ଛାତ ଉପରେ ତାହା ଚାଷ କରି ଯୋଗାଉଛନ୍ତି।

ଆମ ଜଳବାୟୁରେ ସୁକୁମାର ଗୁଳ୍ମ ଦୟଣାକୁ ବଞ୍ଚାଇବା ଓ ବଢ଼ାଇବା ଅତ୍ୟନ୍ତ ଆୟାସସାଧ୍ୟ। ତାହା ସତ୍ତ୍ୱେ, ଡାକ୍ତର ପାଣି କ୍ରମାଗତ ଅନୁଧ୍ୟାନ ଓ ଅନୁଶୀଳନ କରି ସେଥିରେ ସଫଳ ହୋଇଛନ୍ତି। ଏବେ ନିଜ ଛାତ ଉପରେ ସ୍ଵତନ୍ତ୍ର କୁଣ୍ଡ ତିଆରି କରି, ନିଜ ଉତ୍ପାଦିତ ମଞ୍ଜିରୁ ସେ ଦୟଣା ଉପୁଜାଇ ଶ୍ରୀଜଗନ୍ନାଥଙ୍କ ନୀତି ପାଇଁ ଯୋଗାଇ ଦେଉଛନ୍ତି।

ରବିବାର ଅନଙ୍ଗ ତ୍ରୟୋଦଶୀ ଥିଲା। ସକାଳେ ବିଧିମତେ ପୂଜାର୍ଚ୍ଚନା କରାଯାଇ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କଠାରୁ ଦୟଣାଚୋରି ନୀତି ପାଇଁ ଦୟଣା ଗଛ ନିଆଯାଇଥିଲା। ଗତ ମହାବାତ୍ୟା ଅମ୍ଫାନ୍ ତାଙ୍କ ଛାତ ଉପରର ଦୟଣା ଚାରାଗୁଡିକୁ ସଂପୂର୍ଣ୍ଣ ରୂପେ ଉଜାଡ଼ି ଦେଇଥିଲା। ତାହା ସତ୍ତ୍ୱେ ସେ ଶ୍ରୀଜଗନ୍ନାଥଙ୍କ ଦୟଣା ଚୋରି ନୀତି ପାଇଁ ଦୟଣା ଯୋଗାଇ ପାରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଆଶିଷ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ତାଙ୍କର ବିଶ୍ୱାସ।

ଆଜିଠୁ ସାତବର୍ଷ ତଳେ, ୨୦୧୪ ମସିହାରେ ପୀତବାସ ରାଉତରାୟଙ୍କ ସମ୍ପାଦିତ ‘ଅନାଥନାଥ ଶ୍ରୀଜଗନ୍ନାଥ’ରେ ମୁଁ ଦୟଣା ବାବଦରେ ଗୋଟିଏ ଦୀର୍ଘ ଲେଖା ଲେଖିଥିଲି। ତାହାର ଶୀର୍ଷକ ଥିଲା ‘ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି…’।

ସେଥିରେ ପ୍ରଥମ କରି ଡାକ୍ତର ପାଣିଙ୍କର ଏହି ଉତ୍ସର୍ଗୀକୃତ ଦୟଣା ସେବାର ଅବତାରଣା କରିଥିଲି। ଗତବର୍ଷ ସେ ଗୁରୁତର ଅସୁସ୍ଥ ଥାଇ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେଣୁ ତାଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ଏହି ଦୟଣାଚୋରି ନୀତି ପାଇଁ ଶ୍ରୀମନ୍ଦିରକୁ ଦୟଣା ଗଛ ଯୋଗାଇ ଦେଇଥିଲେ। ଶ୍ରୀଜଗନ୍ନାଥଙ୍କ ଆଶିଷରୁ ସେ ସୁସ୍ଥ ହେଲେ ଏବଂ ଏବର୍ଷର ନୀତି ପାଇଁ ନିଜେ ଦୟଣା ଦେଇପାରିଲେ।

ଶ୍ରୀଜଗନ୍ନାଥ ତାଙ୍କୁ ଏହିପରି ସୁସ୍ଥ ରଖି, ଆହୁରି ଅନେକ ବର୍ଷ ଦୟଣା ସେବା ପାଇଁ ସମର୍ଥ କରିବେ ବୋଲି ମୋର ଦୃଢ ବିଶ୍ୱାସ।

ସୌଜନ୍ୟ : ସୋସିଆଲ ମିଡିଆ

Comment