ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ୟବସାୟୀ ସଂଘ ତରଫରୁ ଦୋକାନ ବଜାର ବନ୍ଦ ନିଷ୍ପତ୍ତି ନିଆଯାଇଛି। ଏହି ଦୁଇ ସହରରେ ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲାରହିବ। ଏହି ସମୟରେ ଜରୁରୀକାଳୀନ ସେବାରେ କୌଣସି ବାଧା ଉପୁଜିବ ନାହିଁ । ବ୍ୟବସାୟୀ ସଂଘର ଏହି ନିଷ୍ପତ୍ତିକୁ ପ୍ରଶାସନ ସ୍ୱାଗତ ଜଣାଇଛି।

ପଟ୍ଟାମୁଣ୍ଡାଇ ବ୍ୟବସାୟୀ ସଂଘ ଆଜିଠାରୁ ବନ୍ଦ ନିଷ୍ପତ୍ତି ପାଳନ କୁରୁଥିବାବେଳେ, କେନ୍ଦ୍ରାପଡ଼ା ବ୍ୟବସାୟୀ ସଂଘ ମେ’ ୩ରୁ ଏହାକୁ ପାଳନ କରିବ ବୋଲି ପ୍ରଶାସନକୁ ଜଣାଇଛି। କରୋନା ସଂକ୍ରମଣକୁ ନେଇ ଉଭୟ ବ୍ୟବସାୟୀ ସଂଘ, ପଟ୍ଟାମୁଣ୍ଡାଇ ପ୍ରଶାସନ ଓ କେନ୍ଦ୍ରାପଡ଼ା ପୌର ପ୍ରଶାସନ ସହ ପୃଥକ ପୃଥକ ଭାବେ ଆଲୋଚନା କରିବାପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ଏହି ବନ୍ଦ ନିଷ୍ପତ୍ତି କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ, ସେ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନାହିଁ।ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ଵାରା ସହରରେ ପ୍ରଚାର କରାଯାଉଛି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ସହରରେ ନାଇଟ କର୍ଫ୍ୟୁ ତଥା ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି। ସଂଘ ଦ୍ୱାରା ନିଆଯାଇଥିବା ବନ୍ଦ ନିଷ୍ପତ୍ତିକୁ ସମସ୍ତେ ସଠିକ୍ ଭାବରେ ପାଳନ କରନ୍ତୁ ବୋଲି ବଣିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

Comment