ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଜୀବନ ବଞ୍ଚାଇବା ପାଇଁ ସାଇକେଲରେ ୨ ହଜାର ୧୨୮ କିଲୋମିଟ ଯାତ୍ରା କରିଛନ୍ତି ଜଣେ ଶ୍ରମିକ। ସେ ସୁରଟରୁ ସାଇକେଲରେ ବାହାରି ଆସି କେନ୍ଦ୍ରାପଡ଼ା ନିଜ ଘରେ ପହଞ୍ଚିଛନ୍ତି। ଶ୍ରମିକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବଡକୂଳ ଗାଁର କ୍ଷୀରୋଦ ରାଉତ। ସେ ସୁରତରେ ରହି କାମ କରୁଥିଲେ।

ଲକ୍‌ଡାଉନ୍‌ ପରେ ସେ ସୁରଟରେ ହିଁ ରହିଯାଇଥିଲେ। ପରେ ସେ କାମ କରୁଥିବା ସୂତା ମିଲ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା। ପାଖରେ ଥିବା ଟଙ୍କାରେ କିଛି ଦିନ ଚଳି ଯାଇଥିଲେ। ହେଲେ ଟଙ୍କା ସରିଯିବା ପରେ ନା ଦରମା ମିଳିଲା ନା ଖାଇବାକୁ ଆଉ ପାଖରେ ଧନ ଥିଲା। ଏଣେ ପାଖ ପଡ଼ିଶା ଘରେ କରୋନା ଆକ୍ରାନ୍ତ ବାହାରିଲା ପରେ ଡ଼ରି ଯାଇଥିଲେ କ୍ଷୀରୋଦ।

ପରେ ସେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବସ୍‌, ଟ୍ରେନ ତ ବନ୍ଦ ଯିବେ କେଉଁଥିରେ ବୋଲି ଅନେକ ଭାବିବା ପରେ ନିଜ ସାଇକେଲ ଧରି ସୁଦୂର ସୁରତରୁ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲେ।

ସେ ଏପ୍ରିଲ ୧୪ ତାରିଖରୁ ସୁରତରୁ ବାହାରି କିଛି ବାଟ ଗଲା ପରେ ଗୁଜୁରାଟ ପୋଲିସ ହାବୁଡ଼ରେ ପଡିଗଲେ। ପୋଲିସ ତାଙ୍କୁ ଧରିନେଇ ସ୍ଥାନୀୟ କ୍ଵାରେଣ୍ଟିନ୍‌ରେ ରଖିଦେଲେ। ୧୪ ଦିନ କ୍ଵାରେଣ୍ଟିନ୍‌ ଅବଧି ଶେଷ କରିବା ପରେ ତାଙ୍କୁ ଏପ୍ରିଲ ୨୮ ତାରିଖରେ ଛାଡ଼ି ଦିଆଯାଇଥିଲା।

ଏହାପରେ ସେ ପୁଣି ସାଇକେଲରେ କେନ୍ଦ୍ରାପଡ଼ା ଅଭିମୁଖେ ବାହାରି ପଡ଼ିଥିଲେ। ଭୋକ ଉପାସକୁ ପଛରେ ପକାଇ ଦେଇଥିଲେ ସେ, ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ନିଜ ଘରକୁ ଫେରିବା। ୧୦ ଦିନ ସାଇକେଲରେ ଯାତ୍ରା କରିଥିଲେ ପରେ ମେ’ ୭ ତାରିଖରେ ସେ ଘରେ ପହଞ୍ଚିଥିଲେ।

ସକାଳୁ ସକାଳୁ ଗାଁରେ କ୍ଷୀରୋଦଙ୍କୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଗାଁରେ ସୁରତ ଫେରନ୍ତା ବୁଲୁଛି ଜାଣି ଲୋକେ ବ୍ଲକ ପ୍ରଶାସନଙ୍କୁ ଖବର ଦେଇଥିଲେ। ଗାଁରେ ପୋଲିସ ଆଉ ବିଡିଓ ପହଞ୍ଚିଥିଲେ। ଏବେ କ୍ଷୀରୋଦଙ୍କୁ ଆଶ୍ରମ ବାଲିକୁଦା ସରକାରୀ କ୍ଵାରେଣ୍ଟିନ୍‌ରେ ରଖିଦେଇଛି ମହାକାଳପଡା ବ୍ଲକ ପ୍ରଶାସନ।

Comment