ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସାରା ରାଜ୍ୟରେ ଜାନୁଆରି ୧୬ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ। ଏହାପୂର୍ବରୁ ସବୁ ଜିଲ୍ଲାକୁ ଏବେ ଟିକା ପଠାଯିବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର କେନ୍ଦ୍ରାପଡ଼ାରେ କୋଭିଡ୍ ଟିକା କୋଭିସିଲ୍ଡ ପହଞ୍ଚିଛି।

ରାଜ୍ୟ ଭଳି ଜାନୁଆରି ୧୬ରେ କେନ୍ଦ୍ରାପଡ଼ାରେ ମଧ୍ୟ ଟିକାକରଣ ହେବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମେତ ୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟୀକାକରଣ ହେବ ବୋଲି ସୂଚନା ମିଳିଛି। ଟୀକାକରଣ ପୂର୍ବରୁ ପ୍ରତି କେନ୍ଦ୍ରରେ ଭ୍ୟାକ୍ସିନେଟର ଓ ସହଯୋଗୀଙ୍କୁ ତାଲିମ ଦିଆଯାଇଛି। ତା’ ସହିତ କରୋନା ଟୀକାଗୁଡ଼ିକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।ବୁଧବାର କେନ୍ଦ୍ରାପଡ଼ାରେ କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ଅମୃତ ଋତୁରାଜ, ଏସପି ମଦକର୍ ସନ୍ଦିପ ସମ୍ପଦ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ ପ୍ରମୁଖ ଏହାକୁ ସ୍ୱାଗତ କରିଥିଲେ।  ଏହି ଟୀକାକୁ ଜିଲ୍ଲାର କେନ୍ଦ୍ରୀୟ ଟୀକାଗୃହରେ ଶୀତତାପ ନିୟନ୍ତ୍ରିତ ଗୃହରେ ରଖାଯାଇଛି। ପ୍ରଥମ ଦଫାରେ ଜିଲ୍ଲାକୁ ୫୫୦୦ ଡୋଜ୍ କରୋନାଟୀକା ମିଳିଛି। ପ୍ରଥମେ ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ।

କେନ୍ଦ୍ରାପଡ଼ାରେ ପ୍ରଥମେ ୬ଟି କେନ୍ଦ୍ରରେ ଟୀକାକରଣ ସରିବାପରେ ଜିଲ୍ଲାରେ ଆଉ ୫୦ଟି ଟୀକାଦାନ କେନ୍ଦ୍ର କରାଯାଇ ସେଠାରେ ଟିକାକରଣ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି।

Comment