ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବିକାଶ ତାଲିକାରେ ପଛୁଆ ଜିଲ୍ଲାର ମାନ୍ୟତା ପାଇ ଆସୁଥିବା କେନ୍ଦ୍ରାପଡ଼ାରେ ସ୍ଵାସ୍ଥ୍ୟର ବିକାଶ ମଧ୍ୟ ବହୁ ପଛରେ ପଡ଼ିଛି। ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନରୁ ଦାବି ହୋଇଆସୁଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ଡାକରାରେ ଏକ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ରଥଦାଣ୍ଡରୁ ବାହାରି ସହରର ବଡ଼ମଙ୍ଗଳା, ସାନମଙ୍ଗଳା, ସାନ୍ତସାହି, ଫରଜନ ଛକ, ବଳଗଣ୍ଡି, ପରୁଣାମଟର ଷ୍ଟାଣ୍ଡ, ବଡ଼ହାଟ, କାକଟଛକ ଏବଂ ଗଣାମାହାଲ ଦେଇ ନୂଆମଟର ଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା।

ଏଥିରେ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଛାତ୍ର ସଂଗଠନ, ଯୁବକ, ମହିଳା ଏବଂ ସାଧାରଣ ଜନତା ସାମିଲ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ।

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଆଗରୁ ବିଭିନ୍ନ ଆନ୍ଦୋଳନ ହୋଇସାରିଛି। ପ୍ରଥମ ଥର ପାଇଁ ଏହି ଜନ ସଚେତନତା ପଦଯାତ୍ରା କେନ୍ଦ୍ରାପଡ଼ା ସହରରେ ଆରମ୍ଭ ହୋଇଛି। ଏହାପରେ ଗାଁ ଗାଁରେ ପଦଯାତ୍ରା କରାଯିବ ବୋଲି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି। ଏହି କମିଟିର ସଭାପତି ଅଜୟ ସାମଲଙ୍କ ନେତୃତ୍ଵରେ ଅନୁଷ୍ଠିତ ପଦଯାତ୍ରାର ନେତୃତ୍ଵ ନେଇଥିଲେ ଆବାହକ ଗୟାଧର ଧଳ ଏବଂ ଫକୀରଚରଣ ଖଟୁଆ ପ୍ରମୁଖ।

Tags: #AwarenessCampaign #GovtMedicalCollege #Kendrapara

Comment