ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ପୌର ନିର୍ବାଚନ ପାଇଁ ଶେଷ ଦିନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ବିଏସପି ଏବଂ ଓଡ଼ିଶା ଜନତା ପାର୍ଟି ପକ୍ଷରୁ ପୌର ଅଧ୍ୟକ୍ଷ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସରିତା ସାହୁ ବିଜେଡିର ପୌର ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ଲକ୍ଷ୍ମୀପ୍ରିୟା ବାରିକ, ବିଜେପିରୁ ମିନାକ୍ଷୀ ଦାଶ, ଓଡ଼ିଶା ଜନତା ପାର୍ଟିରୁ ତୁଳସୀ ମହାରଣା ଓ ବିଏସପିରୁ ରଶ୍ମୀତା ନାୟକ ପ୍ରାର୍ଥୀ ହୋଇଛନ୍ତି।

ସରିତା ସାହୁ ହେଉଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ରଣଜିତ ସାହୁଙ୍କ ପତ୍ନୀ। ରଣଜିତ ସାହୁ କଂଗ୍ରେସରୁ କ୍ୟାରିଅର ଆରମ୍ଭ କରିଥିଲେ। ଏବେ ୧୦ ବର୍ଷ ହେଲା ବିଜେଡିରେ ସାମିଲ ହୋଇଛନ୍ତି। ନିର୍ବାଚନରେ ସରିତାଙ୍କ ବିଜୟ ଆଶା ରଖିଛି ଦଳ। କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଦଳୀୟ ପ୍ରାର୍ଥୀଙ୍କ ସହ ରୋଡ୍ ସୋ କରି ସରିତା ସାହୁଙ୍କୁ ବିପୁଳ ସମର୍ଥନ ଦେବାକୁ କେନ୍ଦ୍ରାପଡ଼ା ସହର ବାସିନ୍ଦାଙ୍କୁ ନିବେଦନ କରିଛନ୍ତି।

କଂଗ୍ରେସର ପୌର ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି ଲକ୍ଷ୍ମୀପ୍ରିୟା ବାରିକ। ଲକ୍ଷ୍ମୀପ୍ରିୟା ଓ ତାଙ୍କ ସ୍ଵାମୀ ଗୋପୀନାଥ ବାରିକ ଉଭୟ ୯ ନମ୍ବର ଓ୍ଵାର୍ଡରୁ ଆଗରୁ କାଉନସିଲର ନିର୍ବାଚିତ ହୋଇ ଲୋକଙ୍କ ସୁଖଦୁଃଖରେ ଭାଗିଦାର ହୋଇଛନ୍ତି। କେନ୍ଦ୍ରାପଡ଼ା ସହରରେ କଂଗ୍ରେସର ଦଳୀୟ ସଂଗଠନ ମଜଭୁତ ରହିଥିବାରୁ ଲକ୍ଷ୍ମୀପ୍ରିୟାଙ୍କ ଉପରେ ଦଳ ଆଶା ରଖିଛି।

ସେହିପରି ବିଜେପିର ପୌର ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ପତ୍ନୀ ମିନାକ୍ଷୀ ଦାଶ। ଦଳୀୟ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନକୁ ଷଣ୍ଢୁଆସି ଆକ୍ରମଣ କରି ଚର୍ଚ୍ଚାରେ ରହିଛନ୍ତି ଦୁର୍ଯ୍ୟୋଧନ ସାହୁ। ଦଳ ମିନାକ୍ଷୀଙ୍କୁ ଜିତାଇବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛି।

ଏଥର କେନ୍ଦ୍ରାପଡ଼ାରେ ପୌର ଅଧ୍ୟକ୍ଷ ପଦବୀ ପାଇଁ ତ୍ରିମୁଖି ଲଢ଼େଇ ହେବ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କେନ୍ଦ୍ରାପଡ଼ା ସହରବାସିନ୍ଦାଙ୍କ ବିଶ୍ଵାସ କିଏ ଜିତିବ ତାହା ଆଗକୁ ଜଣାପଡ଼ିବ।

Tag: #Election #OdishaElection #MunicipaltyElection #BJD #BJP #Congress

Comment