ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ୍ ଅଫିସର ଅମ୍ରିତ ଋତୁରାଜ। ଜିଲ୍ଲାର ଆରାଧ୍ୟ ଠାକୁର ବଳଦେବଜୀୟୁଙ୍କଠାରୁ ଆଶୀର୍ବାଦ ନେବା ପରେ ଶୁକ୍ରବାର ସେ କେନ୍ଦ୍ରାପଡ଼ାର ୪୮ ତମ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ତେବେ ଜିଲ୍ଲାର ବିକାଶ ପାଇଁ ଏବେ ବି ତାଙ୍କ ସାମ୍ନାରେ ଅନେକ ଚାଲେଞ୍ଜ ଥିବା କୁହାଯାଉଛି।

୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ କଟକ ଜିଲ୍ଲାକୁ ୪ ଭାଗରେ ବିଭକ୍ତ କରିଦେଇଥିଲେ। ଯାହାଫଳରେ ଜନ୍ମ ନେଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା। ଏହାରି ଭିତରେ ପ୍ରାୟ ତିନି ଦଶନ୍ଧି ବିତିଯାଇଥିଲେ ବି କେନ୍ଦ୍ରାପଡ଼ାର ବିକାଶ ହୋଇପାରିନି। ରେଳ ଆଉ କଳନଥିବା ଜିଲ୍ଲା କହିଲେ କେନ୍ଦ୍ରାପଡ଼ା ଜିଲ୍ଲାର ନା ଆଗକୁ ଆସେ। ଗତ ୨୦୨୦ ମସିହାରେ କେନ୍ଦ୍ରାପଡ଼ା ଦେଇ ରେଳ ଯିବା ଆସିବା ଆରମ୍ଭ କରିଥିଲେ ବି କେନ୍ଦ୍ରାପଡ଼ାବାସୀ ଏହାଦ୍ୱାରା ଉପକୃତ ହୋଇପାରିନାହାନ୍ତି। ତେଣୁ ଜିଲ୍ଲାରେ ରେଳସେବା ଯୋଗାଇବା ନୂଆ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ କାମ ହୋଇପାରେ।ସେହିପରି ଜିଲ୍ଲାରେ କୃଷି ହିଁ ଏକମାତ୍ର ଜୀବିକା ହୋଇଥିଲେ ମଧ୍ୟ କୃଷିର ବିକାଶ ହୋଇପାରିନି। ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ଇଞ୍ଚେ ବି ଆଗକୁ ବଢିନି ବରଂ ଜଳସେଚନ କମି କମି ଆସୁଛି। ଜିଲ୍ଲାରେ ଆଗରୁ ଶହ ଶହ ଉଠା ଜଳସେଚନ ପଏଣ୍ଟ ରହିଥିଲା ଏବେ କିନ୍ତୁ ଏହା ୨ ଅଙ୍କକୁ ଖସି ଆସିଛି। ଜିଲ୍ଲାରେ ଦୁଇଟି ଉଠାଜଳସେଚନ ସବଡିଭିଜନ ଥିବାବେଳେ ଆଳି ସବଡିଭିଜନ ବନ୍ଦ ହୋଇଯାଇଛି। କେନ୍ଦ୍ରାପଡା ସବଡିଭିଜନ ମଧ୍ୟ ଅଳ୍ପ ଚାଲିଲେ ବହୁ ସମୟ ବନ୍ଦ ହେଇ ପଡୁଛି। ଯାହା ଜିଲ୍ଲାର ଚାଷୀମାନଙ୍କ ପାଇଁ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି। ଏଥିସହ ବିଜୁବାବୁଙ୍କ ସମୟରେ ଆରମ୍ଭ ହୋଇଥିବାମହାନଦୀ ଚିତ୍ରୋତ୍ପଳା ଆଇଲ୍ୟାଣ୍ଡ ଇରିଗେସନ ଡିଭିଜନ୍ ମଧ୍ୟ ଏବେ ବନ୍ଦ ହୋଇପଡ଼ିଛି। ଜିଲ୍ଲାରେ ଚାଷୀମାନଙ୍କର ପନିପରିବା ସାଇତି ରଖିବାକୁ ଶୀତଳ ଭଣ୍ଡାର ଟିଏ ନଥିବାରୁ ଜିଲ୍ଲାରେ ଶୀତଭଣ୍ଡାର ସ୍ଥାପନ ନୂଆ ଜିଲ୍ଲାପାଳଙ୍କର ପ୍ରମୁଖ କର୍ତ୍ତବ୍ୟ ହେବା ବୋଲି ସାଧାରଣରେ ଦାବି ହେଉଛି।

ଅନ୍ୟପଟେ ଶିଳ୍ପ କହିଲେ କେନ୍ଦ୍ରାପଡ଼ାବାସୀ ତିନିମୁହାଣୀ ନିକଟରେ  ତିଆରି ହୋଇଥିବା ବଳଦେବଜୀୟୁ ପାଓ୍ୱାରଲୁମକୁ ବୁଝୁଥିଲେ। ଏଠାରୁ ଜିଲ୍ଲାର କୁଶଳୀ ବୁଣାକାରଙ୍କର ହାତ ତିଆରି ଶାଢ଼ି ବାଉଁଶ ନଳିରେ ପ୍ୟାକିଂ ହୋଇ ଜାଭା, ବୋର୍ଣ୍ଣିଓ ଓ ସୁମାତ୍ରା ଦ୍ୱୀପକୁ ବ୍ୟବସାୟ ପାଇଁ ଯାଉଥିଲା। ସେହି ବଂଶର ଶତାଧିକ ବଂଶଜ ବଳଦେବଜୀୟୁ ପାୱାରଲୁମ କଳତନ୍ତରେ କାମକରି ଜୀବିକା ନିର୍ବାହ କରୁଥିଲେ । ୨୦୦୧ ମସିହାରେ ସରକାର ଏହି କଳତନ୍ତ ବିକ୍ରି କରିଦେଇଛନ୍ତି। ସେବେଠୁ ଅନେକ ଶ୍ରମିକ ବୃତ୍ତିହରା ହୋଇ ବିଭିନ୍ନ ଅସୁବିଧାରେ ସମୟ କାଟୁଛନ୍ତି। ସେମାନଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ସାଧାରଣରେ ଦାବି କରାଯାଉଛି।ସେହିପରି ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା କଥା ନକହିଲେ ଭଲ। ଉଚ୍ଚଶିକ୍ଷା ପାଇଁ ଜିଲ୍ଲାରେ କିଛି ବ୍ୟବସ୍ଥା ନଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ପ୍ରତିଶତ ଡାକ୍ତର ପଦବୀ ଖାଲିପଡ଼ିଛି। ଗ୍ରାମାଞ୍ଚଳର ଅନେକ ଡାକ୍ତରଖାନାରେ ମଧ୍ୟ ଫାର୍ମାସିଷ୍ଟ ଓ ହୋମିଓପ୍ୟାଥି ଡାକ୍ତରଙ୍କ ହାତରେ ଏହି ଜିଲ୍ଲାବାସୀଙ୍କର ଜୀବନ ବନ୍ଧାପଡ଼ିଛି। କେତେବେଳେ ଚିକିତ୍ସା ଅଭାବରୁ କାହାର ଜୀବନ ଯାଉଛି ତ କେଉଁଠି ଗର୍ଭବତୀ ମା’ ତା’ର ଗର୍ଭସ୍ଥ ଶିଶୁଟିକୁ ଜନ୍ମ ଦେଇନପାରି ଜୀବନ ହାରୁଛି। ତେଣୁ ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପାଇଁ ଚାଲେଞ୍ଜପୂର୍ଣ୍ଣ ହେବ।

Comment