ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର କେନ୍ଦ୍ର ସରକାର ରାଷ୍ଟ୍ରୀୟ କୋଭିଡ ନୀତିରେ ପରିବର୍ତ୍ତନ କରିଛନ୍ତି। ନୂଆ ନିଷ୍ପତ୍ତି ଅନୁସାରେ ଏଣିକି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ହେବ ନାହିଁ। ପଜିଟିଭ୍‌ ରିପୋର୍ଟ ନଥିଲେ ବା ଜଣେ ସନ୍ଦିଗ୍ଧ ହୋଇଥିଲେ ବି ସେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

ଏହାସହିତ ଲକ୍ଷଣ ଦେଖାଯାଉଥିଲେ ରୋଗୀଙ୍କୁ ଭର୍ତ୍ତି କରାଯାଇପାରିବ। ଏମିତିକି ଜଣେ ଅନ୍ୟ ସହରର ହୋଇଥିଲେ ଓ ନିର୍ଦ୍ଦିଷ୍ଟ ପରିଚୟ ପତ୍ର ନ ଦେଖାଇପାରିଲେ ମଧ୍ୟ ତାଙ୍କୁ ଚିକିତ୍ସା ସୁବିଧା ମିଳିବ। କୌଣସି ବ୍ୟକ୍ତି ଯେଭଳି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କେନ୍ଦ୍ର ସରକାର ନୀତିରେ ପରିବର୍ତ୍ତନ କରିଛନ୍ତି।

ଆବଶ୍ୟକତା ହିଁ ହସ୍ପିଟାଲର ମାପକାଠି। ଜଣେ ରୋଗୀଙ୍କ ପାଇଁ ଭର୍ତ୍ତି ହେବା ଜରୁରୀ ତ ତାଙ୍କୁ ଭର୍ତ୍ତି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ନୀତି ୩ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଏଥିରେ କୁହାଯାଇଛି।

ପୂର୍ବରୁ କୋଭିଡ ପଜିଟିଭ ରିପୋର୍ଟ ଥିଲେ ଜଣେ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବାକୁ ଦିଆଯାଉଥିଲା।

Comment