ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହାରି ମଧ୍ୟରେ କୋଭିଡ୍ ରୋଗୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ଶରୀରରେ ଅମ୍ଲଜାନର ଅଭାବ। କୋଭିଡ୍ ଆକ୍ରାନ୍ତଙ୍କୁ ଅମ୍ଲଜାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲ୍‌ଥର ନିର୍ଦ୍ଦେଶକ ଡାକ୍ତର କ୍ଷୀରୋଦ କୁମାର ରାଉତ।

ମହାମାରୀ ସମୟରେ ଭୟଭୀତ ନହୋଇ କିଭଳି ଏହାର ସାମ୍ନା କରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର କ୍ଷୀରୋଦ କୁମାର ରାଉତ ଉପସ୍ଥିତ ରହି ରୋଗୀଙ୍କୁ ଅମ୍ଲଜାନର ଆବଶ୍ୟକତା ଓ ଅମ୍ଲଜାନକୁ ନେଇ ଜଣେ କୋଭିଡ୍ ରୋଗୀର ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଥିଲେ।oxygen_covid19_indiaରକ୍ତରେ ଅମ୍ଲଜାନର ପରିମାଣ କମୁଛି ବୋଲି ଜଣେ ରୋଗୀ କେମିତି ଜାଣିବ?

ମଣିଷ ଶରୀରରେ ହିମୋଗ୍ଲୋବିନ୍ ଦୁଇ ପ୍ରକାରର ରହିଥାଏ। ଗୋଟିଏ ସାଚ୍ୟୁରେଟେଡ୍ ଅନ୍ୟଟି ଅନ୍‌ସାଚ୍ୟୁରେଟେଡ୍। ହିମୋଗ୍ଲୋବିନ୍‌ରେ ଅମ୍ଲଜାନ କେତେ ସାଚ୍ୟୁରେସନ କରିପାରୁଛି, ତାହାକୁ ଅମ୍ଲଜାନ ସାଚ୍ୟୁରେସନ୍ କୁହାଯାଇଥାଏ। ସାଧାରଣ ମଣିଷ କ୍ଷେତ୍ରରେ ୯୫ ରୁ ୧୦୦ ଭିତରେ ରହିବା କଥା। ଯଦି ଶରୀରରେ ଏହାର ମାତ୍ରା ୯୪ତଳକୁ ଖସିଲା, ତେବେ ମଣିଷକୁ ଅମ୍ଲଜାନର ଆବଶ୍ୟକ ପଡ଼ିଥାଏ।

ଜଣେ କୋଭିଡ୍ ରୋଗୀ ଅମ୍ଲଜାନ ଦରକାର କରୁଛି, ତାହା ସାଧାରଣ ଭାବେ କେମିତି ଜଣାପଡ଼ିଥାଏ?

ଯେଉଁ ରୋଗୀଙ୍କ ଶରୀରରେ ଅମ୍ଲଜାନର ମାତ୍ରା କମୁଛି, ସେହି ରୋଗୀ ହିଁ ପ୍ରଥମେ ଜାଣିପାରିବେ। ଅମ୍ଲଜାନ କମିବା ସମୟରେ ସେ ସମ୍ପୂର୍ଣ୍ଣ ଭାବରେ ନିଶ୍ୱାସ ନେଇପାରିବେ ନାହିଁ। ସେହି ସମୟରେ ଛାତି ଭାରି ଭାରି ଲାଗିବା ସହ ଯନ୍ତ୍ରଣା ମଧ୍ୟ ହୋଇପାରେ। ସବୁଠାରୁ ମୁଖ୍ୟ ଲକ୍ଷଣ ହେଲା, ଅକ୍ସିଜେନ ଅଭାବ ହେଲେ ଶରୀରର ରଙ୍ଗ ପରିବର୍ତ୍ତନ ହୋଇଯିବ। ଏହିସବୁ ଲକ୍ଷଣ ଦେଖାଗଲେ ଜଣେ କୋଭିଡ୍ ରୋଗୀ ଜାଣିପାରିବେ ଯେ, ତାଙ୍କୁ ଅମ୍ଲଜାନ ଦରକାର।

ଅମ୍ଲଜାନ ଅଭାବ ସମୟରେ ରୋଗୀ ସଠିକ୍ ଭାବରେ କଥା କହିପାରନ୍ତି କି?

ସେହି ସମୟରେ ଜଣେ ରୋଗୀ ଭଲ ଭାବରେ କଥା ହୋଇପାରିନଥାଏ। ଶରୀରରେ ଅମ୍ଲଜାନ ସାଚ୍ୟୁରେସନ୍ କମିଲେ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଚଳାଚଳ କରିବାରେ ବାଧା ସୃଷ୍ଟି ହୋଇଥାଏ। କାରଣ ଶରୀରର ପ୍ରତ୍ୟେକ ସେଲ୍‌କୁ ଅମ୍ଲଜାନ ଦରକାର ହୋଇଥାଏ। ଗୋଟେ ଦିନରେ ପ୍ରାୟ ୧ ବିଲିୟନ୍ ନୂଆ ସେଲ୍ ତିଆରି ହୋଇଥାନ୍ତି। ସମସ୍ତଙ୍କୁ ଅକ୍ସିଜେନ୍‌ର ଆବଶ୍ୟକତା ରହିଛି।ପଲ୍‌ସ ଅକ୍ସିମିଟର ବ୍ୟବହାର କରିବାର ସଠିକ୍ ପ୍ରାଣାଳୀ କ’ଣ?

ସାଧାରଣତଃ ଲୋକମାନେ ପଲ୍‌ସ ଅକ୍ସିମିଟରରେ ସାଚୁରେସନ, ପରଫ୍ୟୁଜନ ଇନ୍‌ଡେକ୍ସ, ପଲ୍‌ସ ରେଟ୍ ଦେଖିଥାନ୍ତି। ଡାହାଣ ହାତର ମଝି ଆଙ୍ଗୁଠି ଏବଂ ବୁଢ଼ା ଆଙ୍ଗୁଠିରେ ଅକ୍ସିମିଟର ବ୍ୟବହାର କରାଯାଇଥାଏ। ପଲ୍‌ସ ଅକ୍ସିମିଟର ବ୍ୟବହାର ସମୟରେ ଧ୍ୟାନରେ ରଖିବେ, ଉକ୍ତ ଆଙ୍ଗୁଠିରେ ନେଲ୍‌ପଲିସ୍ ଲାଗିନଥିବ, ନଖ ବଢ଼ିନଥିବ, ନଖ ତେଢ଼ା ହୋଇନଥିବ, ଠିକ୍ ଖାପରେ ପଡ଼ିଥିବ ଏବଂ ଅଧିକା ଚାପ ପକାଇବେ ନାହିଁ। ପ୍ରଥମେ କିଛି ସମୟ ପର୍ଯ୍ୟନ୍ତ ସଂଖ୍ୟାରେ ପରିବର୍ତ୍ତନ ହେବ। କିନ୍ତୁ ଏହାକୁ ଦେଖି କୌଣସି ଚିନ୍ତା କରିବେ ନାହିଁ। ସଂଖ୍ୟା ସ୍ଥିର ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବେ।

Comment