ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାର ଦ୍ଵିତୀୟ ଲହରରେ ଜରୁରୀ ଔଷଧ ଓ ଉପକରଣ ଦାମ ସାଂଘାତିକ ଭାବରେ ବୃଦ୍ଧି ପାଇଛି। ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ବିଶେଷ କରି ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଚଢ଼ା ଦାମରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଦେଶର ବଡ଼ ବଡ଼ ସହରରେ ଜରୁରୀ ଔଷଧ କଳାବଜାରୀ ଭଳି ଏଠି  ଅକ୍ସିମିଟର ପାଇଁ ଗ୍ରାହକଙ୍କୁ ଅଧିକ ଦାମ ଦେବାକୁ ପଡ଼ୁଚି। ଅବଶ୍ୟ ଅକ୍ସିମିଟର ଚାହିଦା ବି ସେହିଭଳି ବଢ଼ିଛି।

ଖବର ଅନୁସାରେ ଅନେକ ଔଷଧ ଦୋକାନରୁ ଅକ୍ସିମିଟର ଉଭାନ ହୋଇଯାଇଥିବା ବେଳେ ଯେଉଁଠି ବି ଏହା ମିଳୁଛି ଖୁବ ଅଧିକ ଦାମ ଦେବାକୁ ହେଉଛି। ପୂର୍ବରୁ ଅକ୍ସିମିଟର ୮୦୦ ଟଙ୍କାରେ ବିକ୍ରି ହେଉଥିଲା।

କିନ୍ତୁ ଏବେ ତାହା ୨୫୦୦ ରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହା ଫଳରେ ଲୋକଙ୍କ ଉପରେ ଆର୍ଥିକ ବୋଝ ପଡ଼ୁଥିବା ଅଭିଯୋଗ ହେଉଛି।

କଟକର ଜଣେ ମାର୍କେଟିଙ୍ଗ ଅଫିସର ପ୍ରକାଶ ମଙ୍ଗରାଜ କହନ୍ତି, ‘‘ତିନି ମାସ ତଳେ ମୁଁ ଏହାକୁ ୯୦୦ ଟଙ୍କାରେ କିଣିଥିଲି। ଏବେ କିଣିବା ବେଳକୁ ଦୋକାନୀ ୨୪୦୦ ଟଙ୍କା କହୁଛନ୍ତି। ସରକାର ଏ ଦିଗରେ କିଛି  କରିବା ଦରକାର’’।

ଭୁବନେଶ୍ୱରର ଜଣେ ଔଷଧ ଦୋକାନୀ କହିଛନ୍ତି ଯେ ଡିଷ୍ଟ୍ରିବୁଟରଙ୍କଠାରୁ ଅକ୍ସିମିଟର ଗୋଟା ପିଛା ଆମକୁ ଦୁଇ ଗୁଣ ଦାମ ଦେଇ କିଣିବାକୁ ପଡୁଛି। ଆଉ ଦୋକାନୀ ବି ସେହି ଅନୁସାରେ ଚଢ଼ା ଦାମରେ ବିକ୍ରି କରୁଛନ୍ତି। ଯଦି ଚିହ୍ନା ପରିଚୟ କେହି ଅଛନ୍ତି ତାଙ୍କୁ ଆମେ ଅତି କମ୍‌ରେ ୧୫୦୦ ଟଙ୍କାରେ ବିକ୍ରି କରୁଛୁ।

କେବଳ ଔଷଧ ଦୋକାନ ନୁହେଁ, ଅନଲାଇନରେ ବି ସେହି ଅବସ୍ଥା। ଅଧିକାଂଶ ଅନଲାଇନ ଷ୍ଟୋରରେ ଅକ୍ସିମିଟର ଦାମ ୧୫୦୦ରୁ ୪୦୦ ଟଙ୍କା ଦେଖାଉଛି। ଅକ୍ସିମିଟର ଚଢ଼ା ଦରରେ ବିକ୍ରି ହେବା କେବଳ କଟକ ଭୁବନେଶ୍ୱରରେ ସୀମିତ ନୁହେଁ, ରାଜ୍ୟର ଅଧିକାଂଶ ସହରରେ ଏକା ସ୍ଥିତି।

ଯେହେତୁ ଡାକ୍ତର ଓ କୋଭିଡ ବିଶେଷଜ୍ଞ କହୁଛନ୍ତି ଅକ୍ସିଜେନ ମାତ୍ରା ମାପିବା ପାଇଁ ଘରେ ଅକ୍ସିମିଟର ନିହାତି ରହିବା ଦରକାର, ସେହି କାରଣରୁ ଲୋକେ ଏହା କିଣିବା ପାଇଁ ଦୋକାନରେ ଭିଡ଼ ଲଗାଉଛନ୍ତି। ଯାହାଙ୍କ ଘରେ କରୋନା ସଂକ୍ରମିତ ଅଛନ୍ତି ତାଙ୍କୁ ବରାବର ରୋଗୀଙ୍କ ଅକ୍ସିଜେନ ସ୍ତର ମାପିବାକୁ ପଡ଼ିଥାଏ। ଯଦି ଏହା ୯୪ରୁ ତଳକୁ ଖସେ, ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି।

Comment